ଓଡ଼ିଶା ଲିଡ୍ସ(ଯାଜପୁର): ସରକାର ବଦଳିବା ପରେ ଐତିହାସିକ, ପୌରାଣିକ ସହର ଯାଜପୁରର ଚିତ୍ର ବେଶ ବଦଳି ଯାଇଛି । ବିଭାଗୀୟ ଅଣଦେଖାରୁ ରାସ୍ତା ଘାଟ ଅବସ୍ଥା ଶୋଚନୀୟ ହୋଇ ପଡିଛି । ଯାଜପୁର ସହରର ପ୍ରବେଶ ପଥରେ ବିକାଶର ବିକଳ ଚିତ୍ର ଦେଖିବାକୁ ମିଳିଛି । ରାସ୍ତା ଖାଲଖମାରେ ପୂର୍ଣ୍ଣ ହୋଇ ପାଣି ଜମୁଛି । ଏହାକୁ ମରାମତି କରାଯାଉ ନଥିବାରୁ ଦିନକୁ ଦିନ ଖାଲର ଆକାର ବୃଦ୍ଧି ପାଉଛି । ଫଳରେ ଏହି ରାସ୍ତା ଦେଇ ଦୈନିକ ଗତାଗତ କରୁଥିବା ହଜାର ହଜାର ଜନସାଧାରଣ ହନ୍ତସନ୍ତ ହେଉଛନ୍ତି । ବିଭିନ୍ନ ସମୟରେ ଏଠାରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ଏହି ସ୍ଥାନ କିଆନାଳି କୂଳରେ ହୋଇଥିଲା ବେଳେ ଏଥିପ୍ରତି ବିଭାଗୀୟ ଅଧିକାରୀ କାହିଁକି ଦୃଷ୍ଟି ଦେଉ ନାହାନ୍ତି ତାହା ଚିନ୍ତାର ବିଷୟ ହୋଇଛି । ଏହି ରାସ୍ତା ଦେଇ ବହୁ ପର୍ଯ୍ୟଟକ ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ ପାଇଁ ଆସୁଥିଲା ବେଳେ ସହରକୁ ନେଇ ସେମାନଙ୍କ ମନରେ କିଭଳି ଧାରଣା ସୃଷ୍ଟି ହେଉଥିବ ତାହା ବେଶ ଅନୁମେୟ । ତୁରନ୍ତ ଏହି ରାସ୍ତାର ମରାମତି କରିବାକୁ ଦାବି ହୋଇଛି ।




















