ଓଡ଼ିଶା ଲିଡ୍ସ(ଯାଜପୁର): ୨୦ ନମ୍ବର ଜାତୀୟ ରାଜପଥ କୁଆଖିଆ-ଯାଜପୁର ରାସ୍ତାର ବୁଢା ପୋଲ ନିକଟ ଛକ ବ୍ୟବସାୟୀଙ୍କ ଦ୍ୱାରା ବର୍ଷ ବର୍ଷ ହେଲା ଅବରୋଧ ହୋଇ ରହିଛି । ଫଳରେ ସବୁ ସମୟରେ ଏହି ଛକରେ ଜାମ ହୋଇ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହୁଛି । ଏହି ଜାମ ଭିତରେ ମଧ୍ୟ ଅଟକି ରହୁଛି ଆମ୍ବୁଲାନ୍ସ । ଛକର ବ୍ୟବସାୟୀ ମାନେ ଦୋକାନ ସମ୍ମୁଖ ରାସ୍ତାକୁ ଅବରୋଧ କରି ବ୍ୟବସାୟ କରୁଛନ୍ତି । ବହୁ ସମୟରେ ପଥଚାରୀ ରାସ୍ତାରେ ଗାଡ଼ି ରଖି ଜିନିଷପତ୍ର କିଣୁଥିବା ଦେଖାଯାଇଛି । ରାସ୍ତା ଅବରୋଧ ଫଳରେ ପିଚୁ ତଳକୁ ଗାଡି ଖସି ପାରୁନାହିଁ । ଯାହା ରାସ୍ତା ଜାମର ପ୍ରମୁଖ କାରଣ ହୋଇ ଦୁର୍ଘଟଣା ଘଟୁଛି । ବହୁ ଗାଡି ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି । ଏହି ରାସ୍ତା ଦେଇ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଗତାଗତ କରୁଥିଲା ବେଳେ ଏହା କିଭଳି ସେମାନଙ୍କ ନଜରକୁ ଆସୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତୁରନ୍ତ ରାସ୍ତା କଡ଼ ଅବରୋଧ ହଟାଇ ରାସ୍ତା କଡ଼କୁ ସମତୁଲ କରିବାକୁ ସାଧାରଣରେ ଦାବି ହୋଇଛି ।
