ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ହିଟ ମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ତାଙ୍କ ଅବସର ଚର୍ଚ୍ଚାକୁ ଅମୂଳକ କହି ଖଣ୍ଡନ କରିଛନ୍ତି । ସଂପ୍ରତି ଅବସର କଥା ଆଦୌ ଚିନ୍ତା କରୁନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ୨୦୨୭ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ ଜିତିବା ଏବେ ତାଙ୍କ ଖେଳ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ବୋଲି କହିଛନ୍ତି ଏହି ତାରକା ବ୍ୟାଟର । ନିକଟରେ ଶେଷ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାର ତିନିଟି ପାଳିରୁ ରୋହିତ ମାତ୍ର ୬୧ ରନ୍ କରିବା ପରେ ତାଙ୍କ ଅବସର ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଭଳି ଖୁବ ଶୀଘ୍ର ଦିନିକିଆରୁ ମଧ୍ୟ ସେ ଅବସର ନେଇଯିବେ ବୋଲି ମଧ୍ୟ ଗୁଜବ ସୃଷ୍ଟି ହୋଇଥିଲା।
ଏକ ଭିିଡିଓରେ ୫୦ ଓଭରିଆ ବିଶ୍ବକପ୍ ସହ ତାଙ୍କର ଥିବା ଆବେଗଭରା ସଂପର୍କ ବିଷୟରେ ମନ୍ତବ୍ୟ ରଖିଛନ୍ତି ରୋହିତ। ସେହିଭଳି ଭାରତ ପାଇଁ ୨୦୨୭ ବିଶ୍ବକପ୍ ଟ୍ରଫି ଉତ୍ତୋଳନ କରିବାକୁ ସେ କେତେ ବ୍ୟଗ୍ର ତା’ର ଝଲକ ମଧ୍ୟ ଦେଖାଇଛନ୍ତି। ଏହି ଚର୍ଚ୍ଚିତ ଭିଡିଓରେ ରୋହିତ କହିଛନ୍ତି, ମୁଁ ବିଶ୍ବକପ୍ ଖେଳିବା ସହ ଦେଶ ପାଇଁ ଏହାକୁ ଜିତିବା ଲାଗି ନିଶ୍ଚିତ ଚାହିଁବି। ଏହି ସ୍ବପ୍ନ ମୁଁ ବରାବର ଦେଖି ଆସୁଛି। ସେଥିପାଇଁ ମନରେ ବ୍ୟାକୁଳତା ମଧ୍ୟ ବଢ଼ିବଢ଼ି ଚାଲିଛି। ୨୦୨୭ ବିଶ୍ବକପ୍ ଜିତିବାକୁ ସବୁକିିଛି କରିବି, ଏହାକୁ ଦୃଷ୍ଟିରେ ରଖି କଠିନ ପରିଶ୍ରମ ବି ଆରମ୍ଭ କରି ଦେଇଛି ବୋଲି କହିଛନ୍ତି ରୋହିତ । ରୋହିତଙ୍କ ଏହି ବିବୃତି ତାଙ୍କ ପ୍ରଶଂସକଙ୍କୁ ଆଶ୍ୱସ୍ତ କରିଛି ।




















