ଯାଜପୁରରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କୁ ଗଣ ଦୁଷ୍କର୍ମ, ହକି ପ୍ରଶିକ୍ଷକଙ୍କ ସମେତ ୩ ଅଟକ
ଓଡ଼ିଶା ଲିଡ୍ସ(ଯାଜପୁର): ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମଦାହ ଘଟଣା ଶିକ୍ଷାରେ କଳଙ୍କ ବୋଳିଥିଲା ବେଳେ ଆଜି ଯାଜପୁର ସ୍ଥିତ ହକି ପ୍ରଶିକ୍ଷଣ ଶିବିରର ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଇ ହକି ପ୍ରଶିକ୍ଷକଙ୍କ ସମେତ ଅନ୍ୟ ଜଣେ ଗଣ ଦୁଷ୍କର୍ମ କରିବା ରାଜ୍ୟ କ୍ରୀଡ଼ାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଏହି ଖବର ପ୍ରକାଶ ହେବା ପରେ ତମାମ ଜିଲ୍ଲାରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ରାଜ୍ୟରେ ମହିଳା ଓ ନାବାଳିକା କେତେ ଅସୁରକ୍ଷିତ ତାହା ପୁଣି ଏହି ଘଟଣା ପ୍ରମାଣିତ କରିଛି । ରାଜ୍ୟରେ ଦୈନିକ ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ଓ ନିର୍ଯାତନା ବଢି ଚାଲିଛି । ଯାହା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଦେଇଛି ।
ଠିକ ଏହି ସମୟରେ ସଂସ୍କୃତି ସମ୍ପନ୍ନ ଯାଜପୁର ସ୍ଥିତ ହକି ପଶିକ୍ଷଣ ଶିବିରର ଜଣେ ଶିକ୍ଷାର୍ଥୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଶିକ୍ଷାର୍ଥୀ ଜଣକ ଜଣେ ନାବାଳିକା ବୋଲି ଜଣା ଯାଇଛି । ଗତ ୩ ତାରିଖରେ ଏହି ଘଟଣା ଘଟିଛି । ଯାଜପୁର ହକି ପ୍ରଶିକ୍ଷଣ କେନ୍ଦ୍ରକୁ ଆସୁଥିବା ଏହି ଛାତ୍ରୀଙ୍କୁ ଦୁଇ ଜଣ ପ୍ରଶିକ୍ଷକ ଓ ତାଙ୍କ ସହଯୋଗୀ ଉଠାଇ ନେଇ ଏକ ଲଜରେ ଦୁଷ୍କର୍ମ କରିଥିବା ଭଳି ଏକ ସାଂଘାତିକ ଅଭିଯୋଗ ପୀଡ଼ିତାଙ୍କ ମାଆ ଯାଜପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ପୀଡ଼ିତା ଜଣଙ୍କ ସନ୍ଧ୍ୟା ସମୟରେ ହକୀ ପ୍ରଶିକ୍ଷଣ କେନ୍ଦ୍ରରୁ ଘରକୁ ଫେରୁଥିବା ସମୟରେ ତାଙ୍କୁ ରାସ୍ତାରେ ଅଟକାଇ ଦୁଇ ଜଣ ପ୍ରଶିକ୍ଷକ ତାଙ୍କ ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲେ। ପୀଡ଼ିତା ତାଙ୍କ ସାଇକେଲ ଜଣଙ୍କ ଘରେ ରଖି ପ୍ରଶିକ୍ଷକଙ୍କ ସହ ଯାଇଥିଲେ। ଉଭୟ ତାଙ୍କୁ ଏକ ଲଜକୁ ନେଇଥିଲେ । ସେଠାରେ ଆଉ ଜଣେ ସହଯୋଗୀଙ୍କ ସହ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଘଟଣା ବିଷୟରେ ପୀଡିତା କ୍ରୀଡା ବିଭାଗକୁ ଗତ ୧୭ ତାରିଖରେ ଜଣାଇବା ପରେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବା ଅଭିଯୋଗ ହୋଇଛି । ଫଳରେ ବାଧ୍ୟ ହୋଇ ଆଜି ଯାଜପୁର ଥାନାରେ ପୀଡ଼ିତାଙ୍କ ମାଆ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଯାଜପୁର ପୋଲିସ ଦୁଇ ଜଣ ପ୍ରଶିକ୍ଷକଙ୍କ ସମେତ ୩ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ସେପଟେ ପୀଡ଼ିତାର ବୟାନ ରେକର୍ଡ ଲାଗି ତାଙ୍କୁ କୋର୍ଟକୁ ପଠାଇଛି।