ଓଡ଼ିଶା ଲିଡ୍ସ(ବ୍ୟୁରୋ): ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ଭାବରେ ପରିଚିତ ବ୍ରାହ୍ମଣୀ । ଏହାର ଶାଖା କେଲୁଅ ଏବଂ ଖରସ୍ରୋତା ନଦୀ। ଖରସ୍ରୋତା ନଦୀ ଚିର ସ୍ରୋତା ହୋଇଥିଲା ବେଳେ ବର୍ଷା ଦିନକୁ ଛାଡି ମୁଖ୍ୟ ନଦୀ ବ୍ରାହ୍ମଣୀ ଓ ଶାଖା ନଦୀ କେଲୁଅ ଶୁଖି ଯାଉଛି । ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ଵରେ ରହିଛି ବିଭିନ୍ନ ଗାଁ ଓ ଜନବସତି। ନଦୀ ଶୁଖି ଯିବାରୁ ବ୍ରାହ୍ମଣୀ ନଦୀକୁ ଆଧାର କରି ଗଢ଼ି ଉଠିଥିବା ଜୀବନ ଜୀବିକା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା ବେଳେ ନଦୀରୁ ମାଛ ଧରି ପରିବାର ପ୍ରତି ପୋଷଣ କରୁଥିବା ପରିବାର ଏବେ ଚିନ୍ତାରେ । ଖରାଦିନେ ନଦୀ ଶୁଖି ଯାଉଥିବାରୁ ନଦୀ କୂଳିଆ ଅଞ୍ଚଳରେ ଜଳ ସ୍ତର କମି ଯାଉଛି । ଫଳରେ ନଳକୂପ ଗୁଡିକରୁ ପାଣି ବହାରିବାରେ ସମସ୍ୟା ଦେଖା ଦେଉଛି । ନଦୀ ଶୁଖି ଯାଉଥିବାରୁ ସବୁଠି ବେଧଡକ ବାଲି ଉତୋଳନ ଓ ଚାଲାଣ ଚାଲିଛି। ରାଜ୍ୟର ଦ୍ଵିତୀୟ ବୃହତ୍ତମ ନଦୀ ଭାବରେ ପରିଚିତ ବ୍ରାହ୍ମଣୀ ମୃତ ନଦୀରେ ପରିଣତ ହେବାକୁ ଯାଉଛି। ଏ ନେଇ ବାରମ୍ବାର ଦାବି ପରେ ମଧ୍ୟ ସରକାର ଓ ଜନ ପ୍ରତିନିଧିମାନଙ୍କ ଆନ୍ତରିକ ଉଦ୍ୟମ ଅଭାବରୁ ବ୍ରାହ୍ମଣୀ ପୁନରୁଦ୍ଧାର ହୋଇ ପାରୁନାହିଁ । ଫଳରେ ନଦୀ କ୍ରମଶଃ ପୋତିହୋଇ ବର୍ଷର ୧୦ ମାସ ଶୁଷ୍କ ଅବସ୍ଥାରେ ରହୁଛି। ଫଳରେ ପ୍ରାକୃତିକ ଭାବେ ଏହା ଯେପରି ପ୍ରବହମାନ ଅବସ୍ଥାରେ ରହିବା କଥା, ତାହା ନ ହେବାରୁ ଜେନାପୁରଠାରୁ ବରୀ ବ୍ଲକ୍ର କାଇପଡା ପର୍ଯ୍ୟନ୍ତ ନଦୀ ଶୁଖି ଯାଉଛି । ଫଳରେ ନଦୀ କୂଳିଆ ଅଞ୍ଚଳରେ ଜଳସଙ୍କଟ ଉଗ୍ରରୂପ ଧାରଣ କରୁଛି । ନଦୀ କୂଳ ଗ୍ରାମ ଗୁଡିକରେ କୂପ, ନଳକୂପ, ପୋଖରୀ, ଗାଡିଆ ଆଦିର ଜଳସ୍ତର ଧିରେ ଧିରେ କମିବାରେ ଲାଗିଛି । ଏ ନେଇ କେନ୍ଦ୍ର ଜଳ ଆୟୋଗ ପଦକ୍ଷେପ ନେବା ଜରୁରୀ ହୋଇଛି । ବ୍ରାହ୍ମଣୀ କୁ ଚିରସ୍ରୋତା କରିବାକୁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେବା ଜରୁରୀ ହୋଇଛି ।
