ଓଡ଼ିଶା ଲିଡ୍ସ(ଯାଜପୁର): ମାନସାପୋଲ ଠାରୁ ବୈଦ୍ୟରାଜପୁର ପୋଲ ପର୍ଯ୍ୟନ୍ତ କେନାଲ ଡାହାଣ ପାର୍ଶ୍ଵ ପିଚୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ରାସ୍ତା ସାରା ଖାଲ ଖମାରେ ପୂର୍ଣ୍ଣ ହୋଇଛି । ଫଳରେ ଏହି ରାସ୍ତା ଦେଇ ଗତାଗତ କରିବା ବିପଦପୂର୍ଣ୍ଣ ହୋଇ ପଡିଛି । ବେଶ କିଛିଦିନ ହେଲା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା ବେଳେ ବିଭାଗ ପକ୍ଷରୁ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆ ଯାଉନାହିଁ । ଏହି ରାସ୍ତା ବିରଜା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ବେଳେ ଏହି ରାସ୍ତା ଦେଇ ବହୁ ପର୍ଯ୍ୟଟକ ବିରଜା ମନ୍ଦିର ଯିବା ସହିତ ଏହି ରାସ୍ତାରେ ଫେରୁଛନ୍ତି । ଏହା ସହିତ ଦୈନିକ ଶହ ଶହ ସଂଖ୍ୟାରେ ଗାଡି ମଟର ମଧ୍ୟ ଗତାଗତ କରୁଛି । ଏହାର ମରାମତି ହେଉ ନଥିବାରୁ ଏହି ସବୁ ଖାଲର ଆକାର ଦିନକୁ ଦିନ ବୃଦ୍ଧି ପାଉଛି । ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
