*ସ୍ଥାୟୀ ପିଚୁ ନକରି ତଳି ପକାଉଛି ବିଭାଗ
*ଖାଲ ଖମାରେ ପୂର୍ଣ୍ଣ ହେଲାଣି ରାସ୍ତା
*ବଢୁଛି ଦୁର୍ଘଟଣା, ନୂତନ ପିଚୁ କରିବାକୁ ଦାବି
ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲାର ବିଭିନ୍ନ ରାସ୍ତା ମଧ୍ୟରୁ ବରୁଆଁ-ବରୀ-କଳାମାଟିଆ ରାସ୍ତା ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତା ଉପରେ ଯାଜପୁର ଜିଲ୍ଲା ସହିତ କେନ୍ଦ୍ରାପଡା ଜିଲ୍ଲାର କିଛି ଅଂଶର ଲୋକ ନିର୍ଭରଶୀଳ । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଗାଡି ଗତାଗତ କରୁଛି । ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାସ୍ତା ଦୀର୍ଘ ବର୍ଷ ହେଲା ନୂତନ ପିଚୁ ହୋଇ ନାହିଁ । ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଏହି ରାସ୍ତାରେ ତାଳି ପକା କାମ ହୋଇଛି । ଏହି ତାଳିପକା ପିଚୁ କାମ ନିମ୍ନ ମାନର ହେଉଥିବା ଯୋଗୁ ଏହା ପଡିବାର କିଛି ଦିନ ମଧ୍ୟରେ ଉଠି ଯାଉଥିବା ଦେଖିବାକୁ ମିଳିଥାଏ । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଏହି ନିମ୍ନ ମାନର କାମ ହେଉଥିଲା ବେଳେ ଏବେ ଏହି ରାସ୍ତାର ବିଭିନ୍ନ ଅଂଶ ଖାଲ ଖମାରେ ପୂର୍ଣ୍ଣ ହୋଇଛି । ରାସ୍ତାର ଏହି ଶୋଚନୀୟ ଅବସ୍ଥା କିନ୍ତୁ ବିଭାଗୀୟ ଅଧିକାରୀଙ୍କ ନଜରକୁ ଆସୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହି ରାସ୍ତାକୁ ନୂତନ ପିଚୁ କରିବାକୁ ସାଧାରଣରେ ଦାବି ହୋଇଛି ।




















