ଲାହୋର: ମନ୍ଥର ପିଚ୍ରେ ଲଢ଼ୁଆ ଶତକ ଅର୍ଜନ କରି ଭାରତକୁ ବିଜୟୀ କରାଇବା ପରେ ପାକିସ୍ତାନର ଘରେଘରେ ଏବେ କିଙ୍ଗ୍ କୋହଲିଙ୍କୁ ନେଇ ଚର୍ଚ୍ଚା ଚାଲିଛି। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତଠାରୁ ପାକିସ୍ତାନ ରବିବାର ଚାମ୍ପିଅନ୍ସ ଟ୍ରଫିର ସବୁଠାରୁ ପ୍ରତୀକ୍ଷିତ ଓ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଶୋଚନୀୟ ପରାଜୟ ବରଣ କରିଥିଲେ ମଧ୍ୟ ସେଠାକାର ଗଣମାଧ୍ୟମ ନିଜ ଦଳର ପରାଜୟ ଅପେକ୍ଷା କୋହଲିଙ୍କ ବିରାଟ ଶତକକୁ ନେଇ ଅଧିକ ଚର୍ଚ୍ଚା କରୁଛି। ପ୍ରତିଟି ପାକିସ୍ତାନୀ ଗଣମାଧ୍ୟମରେ କୋହଲି ମୁଖ୍ୟ ଶିରୋନାମା ପାଲଟିଛନ୍ତି। ତାଙ୍କ ଫିଟ୍ନେସ୍, ଏକାଗ୍ରତା, ସଟ୍ ଚୟନ ଓ ଦୃଢ଼ ମାନସିକତାର ପାକିସ୍ତାନୀ ଯେମିତି ପ୍ରଶଂସକ ପାଲଟି ଯାଇଛନ୍ତି। କିଛିକିଛି ପାକିସ୍ତାନୀ ପ୍ରଶଂସକ ବାବରଙ୍କୁ ନେଇଯାଅ, ଆମକୁ କୋହଲି ଦେଇଦିଅ ଭଳି ଅଜବ ଓ ଆଶ୍ଚର୍ଯ୍ୟଜନକ ସ୍ଲୋଗାନ୍ ମଧ୍ୟ ଦେଇଛନ୍ତି।
ପାକିସ୍ତାନୀ ଗଣମାଧ୍ୟମ ନିଜ ଖେଳାଳିଙ୍କୁ ତୀବ୍ର ସମାଲୋଚନା କରିଥିଲା ବେଳେ କୋହଲିଙ୍କୁ ପ୍ରଶଂସାରେ ପୋତି ଦେଇଛି। ସେଠାକାର ୟୁଟ୍ୟୁବର୍ କୋହଲିଙ୍କୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିବାରେ ଲାଗି ପଡ଼ିଛନ୍ତି। ପାକିସ୍ତାନ କ୍ରିକେଟ୍ ଉପରେ କୋହଲିଙ୍କ ପ୍ରଭାବ ଯେମିତି ପଡ଼ିଛି, ସମ୍ଭବତଃ ସେହି ଦେଶର କିବଂଦନ୍ତି ୱାସିମ ଆକ୍ରମ ଓ ଇମ୍ରାନ ଖାନ୍ ପକାଇପାରି ନଥିଲେ ବୋଲି କେହିକେହି ଖୋଲାଖୋଲି ଭାବେ କହିଛନ୍ତି। ମଜାଦାର କଥା ହେଲା ପାକିସ୍ତାନ କ୍ରିକେଟ୍ ଦଳକୁ ହରାଇଥିଲେ ମଧ୍ୟ କୋହଲି ଏବେ ପାକିସ୍ତାନରେ ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ତାରକା ପାଲଟି ଯାଇଛନ୍ତି।
