ଓଡ଼ିଶା ଲିଡ୍ସ(ବ୍ୟୁରୋ): ତିନି ଦଳ ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ପ୍ରାର୍ଥୀ ଘୋଷଣା ପରେ ୩ ଦଳ ଏବେ ନିର୍ବାଚନୀ ରଣନୀତି ଆଙ୍କିବାରେ ବ୍ୟସ୍ତ । ବିଜେପି ସଭାପତି ମନମୋହନ ସାମଲ ଦକର ବିଭିନ୍ନ ନେତାଙ୍କୁ ବୁଥ ଓ ମଣ୍ଡଳ ଦାୟିତ୍ୱ ପ୍ରଦାନ କରିଛନ୍ତି । ଦଳର ନେତା ମାନଙ୍କୁ ନିର୍ବାଚନ ନସରିବା ଯାଏଁ ନୂଆପଡା ନଛାଡିବାକୁ ବି ନିର୍ଦ୍ଦେଶ ଦେଇଛି ଦଳ । ଶାସକ ଦଳ ଭାବେ ନିର୍ବାଚନକୁ ସର୍ବାଧିକ ଗୁରୁତ୍ୱ ଦେଉଛି ଦଳ ।
ମୁଖ୍ୟ ଵିରୋଧି ଦଳ ବିଜେଡି ମଧ୍ୟ ପଛରେ ପଡ଼ିନାହିଁ । ଦଳ ବିଭିନ୍ନ ନେତାଙ୍କୁ ବ୍ଲକ ଓ ଏନଏସି ଦାୟିତ୍ୱ ବଣ୍ଟନ କରିଛି । ଏହା ସହିତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଧ୍ୟ ଘୋଷଣା କରି ସାରିଛି । ପ୍ରମୁଖ କଥା ହେଲା ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରିବାକୁ ନୂଆପଡା ଯିବାକୁ ନିଷ୍ପତି ନେଇଛନ୍ତି । ଯାହା ଦଳର ପ୍ରାର୍ଥୀ, ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛି । ଅନ୍ୟପକ୍ଷରେ ଷ୍ଟିୟରିଂ ଏବଂ ମନିଟରିଂ କମିଟି କରି ନିର୍ବାଚନ ପରିଚାଳନା କରିବାକୁ କଂଗ୍ରେସର ରଣନୀତି ପ୍ରସ୍ତୁତ କରିଛି ।
ପ୍ରାର୍ଥୀ ଚୟନ ପରେ ଏବେ ନିର୍ବାଚନ ପ୍ରଚାର ଏବଂ ପରିଚାଳନାକୁ ତିନି ଦଳ ପ୍ରାଧାନ୍ୟ ଦେଇଛନ୍ତି । ବିଜେପି ଓ କଂଗ୍ରେସ ପାଇଁ ପଡୋଶୀ ଛତିଶଗଡି ନେତା ପ୍ରଚାର କରିବାକୁ ଆସୁଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଥରେ ନିର୍ବାଚନ ପ୍ରଚାର କରି ସାରିଥିଲା ବେଳେ ଆହୁରି ୨ ଥର ନୂଆପଡା ଯାଇ ଦଳ ପାଇଁ ମାରାଥନ ପ୍ରଚାର କରିବେ ବୋଲି ସୂଚନା ମିଳିଛି।ନୂଆପଡ଼ାରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ଅଧିକ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ଭୋଟ ଦଳ ସପକ୍ଷକୁ ଆଣିବାକୁ ଉଦ୍ୟମ କରିବେ । ବିଜେପି ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଆଗଧାଡ଼ିର ନେତା ମଧ୍ୟ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ସ୍ଥିର ହୋଇଛି।
ପିସିସି ସଭାପତି ଭକ୍ତ ଚରଣ ଦାସ ନୂଆପଡାରେ ଡେରା ପକାଇଛନ୍ତି । କଂଗ୍ରେସ ନିର୍ବାଚନ ପରିଚାଳନା ପାଇଁ ୨ଟି କମିଟି ଗଠନ କରିଛି । ନୂଆପଡ଼ାରେ କଂଗ୍ରେସର ସ୍ଥିତି ଦୃଢ଼ ଥିବାରୁ କଂଗ୍ରେସ ବାଜି ମାରିବା ଲକ୍ଷରେ ରହିଛି । କଂଗ୍ରେସ ଯେଉଁ ୧୦ ଜଣିଆ ଷ୍ଟିୟରିଂ କମିଟି ଗଠନ କରିଛି ସେଥିରେ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସହ ୭ ବିଧାୟକଙ୍କ ନାମ ସାମିଲ ହୋଇଛି । ସେହିପରି ୨୧ ଜଣିଆ ମନିଟରିଂ କମିଟିରେ ପୂର୍ବତନ ବିଧାୟକ ଏବଂ ଜିଲ୍ଲା ସଭାପତିମାନେ ରହିଛନ୍ତି। ପ୍ରଚାର ପାଇଁ କଂଗ୍ରେସ ମଧ୍ୟ ଛତିଶଗଡ ନେତାଙ୍କ ସହ କେନ୍ଦ୍ର ନେତୃତ୍ୱଙ୍କୁ ବି ମୈଦାନକୁ ଓହ୍ଲାଇବାକୁ ଯୋଜନା କରିଛି । ଏହି ଉପନିର୍ବାଚନରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେବା ନିଶ୍ଚିତ ।




















