ଓଡ଼ିଶା ଲିଡ୍ସ(ଯାଜପୁର): ରାଜ୍ୟର ପୁରାତନ ରାଜଧାନୀ, ଐତିହାସିକ, ପୌରାଣିକ ସହର ଯାଜପୁର । ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା ବିରଜା । ସରକାରୀ, ବେସରକାରୀ କାମ ପାଇଁ ଜିଲ୍ଲାର ଲୋକେ ସହରକୁ ଦୈନିକ ଆସୁଥିଲା ବେଳେ ମାଙ୍କ ଦର୍ଶନ ପାଇଁ ସାରା ଦେଶର ଶ୍ରଦ୍ଧାଳୁ ଆସନ୍ତି ଏହି ସହରକୁ । ବିଗତ କିଛି ବର୍ଷ ହେଲା ଏହି ସହରର ଆଖିଦୃଶିଆ ଉନ୍ନତି ହୋଇଛି । ହେଲେ ପ୍ରାୟ ଦେଢ଼ ବର୍ଷ ହେଲା ବିକାଶ ଉପରେ କଳା ବାଦଲ ଛାଇ ଯାଇଛି । ରାସ୍ତା ଘାଟ ଶୋଚନୀୟ ହୋଇ ପଡ଼ିଥିଲା ବେଳେ ଏଥିପ୍ରତି ନା ପ୍ରଶାସନର ନଜର ଅଛି ନା ବିଭାଗୀୟ ଅଧିକାରୀଙ୍କ ନଜର ଅଛି । ମାନସା ପୋଲ ଛକ ନିକଟରୁ ବିରଜା ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ଅଵସ୍ଥାକୁ ଦେଖିଲେ ଯେ କେହି ବିକାଶର ବିକଳ ଚିତ୍ରକୁ ପରଖି ପାରିବ । ପର୍ଯ୍ୟଟକ ଏହି ରାସ୍ତାରେ ବିରଜା ମନ୍ଦିର ଯାଇ ଫେରିବା ବେଳେ ବିକାଶକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ ନା ଏହାକୁ ଅନୁଭବ କରୁଛନ୍ତି ନା ରାସ୍ତାର ଅବସ୍ଥା ତାଙ୍କୁ ଦେଖା ଯାଉଛି ।
