ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଇଏଏସ ଭି.କେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ଭିଆରଏସ୍ ନେଇଥିବାର ସୂଚନା ମିଳୁଛି। ସୁଜାତା ପୂର୍ବରୁ ସ୍ବେଚ୍ଛାକୃତ ଅବସର ଲାଗି ଆବେଦନ କରିଥିଲେ ଏବଂ ତାଙ୍କ ଆବେଦନକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି। ହେଲେ ଏ ନେଇ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣା ଯାଇଛି । ସ୍ୱଚ୍ଛାକୃତ ଅବସର ପରେ ସୁଜାତା ବିଜେଡିରେ ଯୋଗଦେଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ଭିଆରଏସ୍ ନେବା ପୂର୍ବରୁ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଜ୍ୟ ସରକାରଙ୍କ ପାଖରେ ଛଅ ମାସ ଛୁଟି ପାଇଁ ଆବେଦନ କରିଥିଲେ । କିନ୍ତୁ ରାଜ୍ୟ ସରକାର ତାଙ୍କ ଛୁଟି ମଞ୍ଜୁର ନ କରି ତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦେଇଥିଲେ । ଏହା ପରେ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ତାଙ୍କ ଆବେଦନକୁ କେନ୍ଦ୍ର ସରକାର ଅନୁମୋଦନ କରିଥିବାରୁ ସ୍ବେଚ୍ଛାକୃତ ଅବସର ପରେ ସେ କଣ କରିବେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତାଙ୍କ ସ୍ୱାମୀ ଭିକେ ପାଣ୍ଡିଆନ ଏକ ବୈଦେଶିକ କମ୍ପାନୀରେ ଚାକିରି କରିବେ ବୋଲି ଚର୍ଚ୍ଚା ହେଉଥିଲା ବେଳେ ସେ ତାଙ୍କ ସହିତ ଓଡ଼ିଶା ଛାଡିବେ ନା ବିଜେଡିରେ ସାମିଲ ହେବେ ସେ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ସୁଜାତା କାର୍ତ୍ତିକେୟନ ବିଜେଡି ସରକାରରେ ଖୁବ ପ୍ରଭାବଶାଳୀ ଥିଲେ। ହେଲେ ନିର୍ବାଚନ ସମୟରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ସେ ସରକାରଙ୍କ ସହିତ ଖାପ ଖୁଆଇ ଚଳି ପାରୁ ନଥିବା କୁହାଯାଉଛି । ଯାହା ତାଙ୍କ ସ୍ବେଛାକୃତ ଅବସରର କାରଣ ବୋଲି କୁହାଯାଉଛି ।
୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମୟରେ ସୁଜାତାଙ୍କ ଆଇଏଏସ୍ କ୍ୟାରିୟର ଆରମ୍ଭ ହୋଇଥିଲା । ସେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର ଓ ସଚିବ ଭାବେ କାର୍ଯ୍ୟ କରିଥିଲେ, ଯାହା ମହିଳା ସଶକ୍ତିକରଣ ପାଇଁ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୦୧ରେ ଆରମ୍ଭ ହୋଇଥିଲା । ଏହି ବିଭାଗରେ କାର୍ଯ୍ୟ କରିବା ସମୟରେ ସେ ଅତ୍ୟନ୍ତ କ୍ଷମତାଶାଳୀ ଥିଲେ ।