ଓଡ଼ିଶା ଲିଡ୍ସ(ବ୍ୟୁରୋ): ସବୁ ମ୍ୟାଚ ଜିତି ଭାରତ ଚାମ୍ପିୟନ୍ସ ଟ୍ରଫି ବିଜୟୀ ହୋଇଛି । ତୀବ୍ର ପ୍ରତିଦ୍ୱନ୍ଦିତା ମୂଳକ ଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଚାରି ଉଇକେଟରେ ପରାଜିତ କରିଛି । ହେଲେ ଚାମ୍ପିୟନ୍ସ ଟ୍ରଫିରେ ଭାରତର ଦୁଇ ଭେଟେରାନ ଖେଳାଳି ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ଉପରେ ଉଠିଥିବା ଚର୍ଚ୍ଚାରେ ବିରାମ ଲଗାଇଛି ।
ଘରୋଇ ସିରିଜରେ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାଜିତ ହେବା ଓ ଅଷ୍ଟ୍ରେଲିଆରେ ନୈରାଶ୍ୟ ଜନକ ପ୍ରଦର୍ଶନ କରି ଟେଷ୍ଟ ଚାମ୍ପିୟନ୍ସ ଫାଇନାଲରେ ପହଞ୍ଚି ନପାରିବା ଉଭୟଙ୍କୁ ଖୁବ ନିନ୍ଦିତ କରିଥିଲା । ହେଲେ ଉଭୟ ବରିଷ୍ଠ ଖେଳାଳି ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର କ୍ରୀଡା ପ୍ରଦର୍ଶନ କରିଛନ୍ତି । ରୋହିତ ନିଜ ଅଧିନାୟକତ୍ୱର ପରାକାଷ୍ଠା ଦେଖାଇଥିଲା ବେଳେ ତାଙ୍କ ବ୍ୟାଟରୁ ରନ ଆସିଛି । ଫାଇନାଲରେ ବିରାଟ ସର୍ବାଧିକ ରନ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି । ବିରାଟ ମଧ୍ୟ ଚମତ୍କାର ବ୍ୟାଟିଂ କରି ନିଜକୁ ପ୍ରମାଣିତ କରିଛନ୍ତି ।
ବିରାଟ ୫ଟି ଇନିଂସରୁ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହିତ ୫୪.୫୦ ହାରରେ ୨୧୮ ରନ ସଂଗ୍ରହ କରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି । ଅପରପକ୍ଷେ ଅଧିନାୟକ ରୋହିତ ୫ଟି ଇନିଂସରୁ ଗୋଟିଏ ଅର୍ଦ୍ଧଶତକ ସହିତ ୩୬.୦୦ ହାରରେ ୧୮୦ ରନ ସଂଗ୍ରହ କରିଛନ୍ତି । ନିଜର ଅବସର ନେଇ କୋହଲି କହିଛନ୍ତି ଦଳକୁ ଭଲ ସ୍ଥିତିରେ ରଖି ଅବସର ନେବୁ । ଯାହା ସେ ଆଉ କିଛି ବର୍ଷ ଦେଶ ପାଇଁ ଖେଳିବାକୁ ଯାଉଛନ୍ତି ବୋଲି ଦର୍ଶାଉଛି । ଅପରପକ୍ଷେ ରୋହିତ କହିଛନ୍ତି ଏବେ ମୁଁ ସେ ନେଇ ଚିନ୍ତା କରିବା ବଦଳରେ ଭଲ ଖେଳିବା ଓ ଠିକ ମାନସିକତା ଉପରେ ଗୁରୁତ୍ୱ ଦେଉଛି ।