ଓଡ଼ିଶା ଲିଡ୍ସ(ବ୍ୟୁରୋ): ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହୋଲି ପୂର୍ବରୁ ରାଜ୍ୟର ମଦ ଦୋକାନଗୁଡ଼ିକ ସମ୍ପର୍କରେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏକ୍ସପ୍ରେସ୍ ୱେ ଏବଂ ଜାତୀୟ ରାଜପଥ କଡ଼ରେ କୌଣସି ମଦ ଦୋକାନ ରହିବା ଉଚିତ୍ ନୁହେଁ। ଏହା ଦୁର୍ଘଟଣା ଘଟିବାର ପ୍ରମୁଖ କାରଣ ବୋଲି ସେ ମତ ଦେଇଛନ୍ତି । ଲକ୍ଷ୍ନୌରେ ଅଧିକାରୀମାନଙ୍କ ସହ ବୈଠକରେ ଏହି ନିଷ୍ପତି ନେଇଛନ୍ତି ଯୋଗୀ । ଆଗକୁ ମଦ ଦୋକାନଗୁଡ଼ିକର ସାଇନବୋର୍ଡ ଆକାର ଛୋଟ କରାଯିବାକୁ ମଧ୍ୟ ନିଷ୍ପତି ନିଆଯାଇଛି । ଉତ୍ତରପ୍ରଦେଶ ରାଜ୍ୟ ସଡ଼କ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଯୋଗୀ ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣା ଉପରେ ଚିନ୍ତା ପ୍ରକଟ କରିବା ସହିତ ଦୁର୍ଘଟଣାକୁ ପ୍ରଭାବଶାଳୀ ଢଙ୍ଗରେ ରୋକିବା ପାଇଁ ଆବଶ୍ୟକ ମାର୍ଗଦର୍ଶିକା ପ୍ରଦାନ କରିଥିଲେ। ସଡ଼କ ଦୁର୍ଘଟଣାକୁ ସାମୂହିକ ଭାବେ ନିୟନ୍ତ୍ରଣ କରିବା ପାଇଁ ସଡ଼କ ସୁରକ୍ଷା ସହ ଜଡ଼ିତ ସମସ୍ତ ବିଭାଗ ପରସ୍ପର ସହ ସମନ୍ୱୟ ରକ୍ଷା କରିବା ଉଚିତ ବୋଲି ଯୋଗୀ କହିଛନ୍ତି । ଏହା ସହିତ ଅନ୍ୟାନ୍ୟ ବିଷୟରେ ବିଭିନ୍ନ ନିର୍ଦେଶ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।
