ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦେଶବାସୀଙ୍କ ପାଇଁ କେନ୍ଦ୍ର ସରକାର ଜିଏସଟି ମୂଲ୍ୟରେ ହ୍ରାସ କରିବା ସହିତ କିଛି ଦ୍ରବ୍ୟ ଉପରେ ବୃଦ୍ଧି କରିଛନ୍ତି । ସରକାରଙ୍କ ଅନୁଯାୟୀ ଆଜିଠୁ ନେକ୍ସଟ୍ ଜେନ୍ ଜିଏସଟି ଲାଗୁ ହୋଇଛି । ଏହା ଫଳରେ ଦୈନନ୍ଦିନ ସାମଗ୍ରୀ ଶସ୍ତା ହୋଇଛି । ଯାହାକୁ ନେଇ ମଧ୍ୟବିତ୍ତଙ୍କଠୁ ଆରମ୍ଭ କରି ଚାଷୀ ଆଶ୍ୱସ୍ଥ ହୋଇଛନ୍ତି । ଆଜିଠୁ କେବଳ ତିନିଟି ସ୍ଲାବରେ ଜିଏସଟି ଲାଗୁହେବ । ଆଉ ୧୨ ପ୍ରତିଶତ ଓ ୧୮ ପ୍ରତିଶତ ଜିଏସଟି ସ୍ଲାବ ରହିବ ନାହିଁ । ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପଲବ୍ଧ ହେବ ।
ତମାଖୁ ଓ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦ ପ୍ରତିଶତ ଟିକସ ଲାଗୁ କରିଛନ୍ତି ସରକାର। ଜୀବନ ବୀମା ଓ ସ୍ବାସ୍ଥ୍ୟବୀମାରୁ ଜିଏସଟି ଛାଡ଼ କରାଯାଇଛି । ଗତ ତିନି ତାରିଖରେ ଜିଏସଟି ପରିଷଦରେ ଏହି ନିଷ୍ପତ୍ତି ନିଆଯାଇଥିଲା ବେଳେ ଆଜିଠୁ ଏହା ଲାଗୁ ହୋଇଛି । ନୂଆ ଜିଏସଟି ହାର ସାଧାରଣ ଗ୍ରାହକଙ୍କୁ ଅଧିକ ଲାଭ ଦେବ ବୋଲି ଚର୍ଚ୍ଚା ହେଉଛି ।
ଚାଷୀଙ୍କଠାରୁ ଆରମ୍ଭ କରି ଗୃହ ନିର୍ମାଣ କରୁଥିବା ଲୋକ ଏହା ଦ୍ୱାରା ଉପକୃତ ହେବେ । ମୋଦି ସରକାରଙ୍କ ଦ୍ଵାରା ଜିଏସଟି ସ୍ଲାବ ବଦଳିବା ପରେ ସବୁଠୁ ଅଧିକ ଆଶ୍ବସ୍ତ ହୋଇଛନ୍ତି ମଧ୍ୟବିତ୍ତ । ନୂଆ ଜିଏସଟି ହାର ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ ସେକ୍ଟରକୁ ଅଧିକ ଉତ୍ସାହିତ କରିଛି । ନୂଆ ସ୍ଲାବ ପରେ ଆଜିଠୁ ଟିଭି, ଏୟାର କଣ୍ଡିସନର, ବାଇକ୍, ପେଟ୍ରୋଲ-ଏଲପିଜି ଓ ସିଏନଜି କାର, ଅଟୋ ପାର୍ଟ୍ସ, ମନିଟର ଓ ପ୍ରୋଜେକ୍ଟର ଏବଂ ସିମେଣ୍ଟ ଶସ୍ତା ହୋଇଛି । ଏହି ସାମଗ୍ରୀ ଉପରେ ପୂର୍ବରୁ ୨୮% ଜିଏସଟି ଲାଗୁ ହେଉଥିଲା ବେଳେ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି।ସେହିଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀରେ ମଧ୍ୟ ହ୍ରାସ ହୋଇଛି । ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ, ରୋଷେଇ ସାମଗ୍ରୀ, ନମକିନ, ଚକୋଲେଟ୍, କଫି, ନୁଡଲ୍ସ, ଘିଅ, ଲହୁଣି, ଥର୍ମୋମିଟର, ମେଡିକାଲରେ ବ୍ୟବହୃତ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଔଷଧ ଓ ବିଭିନ୍ନ କୃଷି ଯନ୍ତ୍ରପାତି ବି ଶସ୍ତା ହୋଇଛି। ଏସବୁ ଦ୍ରବ୍ୟ ଆଜିଠୁ ୫ ପ୍ରତିଶତ ଜିଏସଟି ସ୍ଲାବରେ ସାମିଲ ହୋଇଛି। ସେହିଭଳି ଜୀବନ ବୀମା, ସ୍ବାସ୍ଥ୍ୟବୀମା, ଛେନା, ପନୀର, ରୁଟି, ପିଜା, ବ୍ରେଡ, ପାଉଡର କ୍ଷୀର, ପରଟା, ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ୍, ଖାତା ବହି, ରବର ଉପରେ କୌଣସି ଜିଏସଟି ଲାଗୁ ହେବ ନାହିଁ ।
ନୂଆ ୪୦ ପ୍ରତିଶତ ଜିଏସଟି ସ୍ଲାବକୁ ହାନିକାରକ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ ଲାଗୁ କରାଯାଇଛି। ସେହି ଜିନିଷଗୁଡ଼ିକ ହେଉଛି ପାନ ମସଲା, ସିଗାରେଟ୍ , ଗୁଟଖା, ତମାଖୁ ଦ୍ରବ୍ୟ, ଜର୍ଦା, କୋଲଡ୍ରିଙ୍କସ୍ ଇତ୍ୟାଦି। ଫଳରେ ଏହାର ଅତ୍ୟଧିକ ମୂଲ୍ୟ ବୃଦ୍ଧି ହେବ ।




















