ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦା ଖଣି ଅଞ୍ଚଳରେ ଅଣ ଓଡ଼ିଆଙ୍କ ପ୍ରଭାବ ବଢି ଚାଲିଛି । ଫଳରେ ନିଜ ଅଞ୍ଚଳରେ କାମ ନପାଇ ସୁକିନ୍ଦାର ଭୂମିପୁତ୍ର ଦାଦନ ଖଟିବାକୁ ବାଧ୍ୟ ହେଉଛି । ଧୂଳି ଧୂଆଁ ଖାଇ ଜୀବନ ବଞ୍ଚୁଥିବା ସୁକିନ୍ଦାର ଭୂମିପୁତ୍ରଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସରକାର ବଦଳିବା ପରେ ସୁକିନ୍ଦାର ଖଣି ଅଞ୍ଚଳରେ ରାଜ୍ୟ ବାହାରର ଲୋକଙ୍କୁ ନିଯୁକ୍ତି ମିଳୁଛି । ଯେଉଁଠି ଦିନେ ସୁକିନ୍ଦାର ଭୂମିପୁତ୍ର ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଚାକିରି ମିଳୁଥିଲା ଓ ମାସିକ ଅର୍ଥରେ ଭୂମିପୁତ୍ର ନିଜ ପରିବାର ପ୍ରତି ପୋଷଣ କରୁଥିଲେ ଆଜି ସେମାନଙ୍କ ମଧ୍ୟରୁ ଅନେକଙ୍କ ଘରେ ଚୁଲି ଜଳିବା କଷ୍ଟ ହେଉଛି । ନିଜ ଘର ଆଗରେ ଥିବା ଖଣିରେ ରାଜ୍ୟ ବାହାର ଲୋକ କାମ ପାଇ ଅର୍ଥ ରୋଜଗାର କରୁଥିଲା ବେଳେ ସେମାନେ ନୀରବରେ ଏହାକୁ ଦେଖିବା ସାର ହୋଇଛି । ଏହାର ପ୍ରତିବାଦ କଲେ ବିଭିନ୍ନ ମହଲରୁ ସେମାନଙ୍କୁ ଧମକ ଚମକ ମଧ୍ୟ ମିଳୁଥିବା ଅଭିଯୋଗ ହେଉଛି । ନିଜ ଅଞ୍ଚଳରେ ଥିବା ଖଣିରେ କାମ ନପାଇ ନିରାଶ ହୋଇ ପଡ଼ିଥିବା ଯୁବକ ମାନେ ରାଜ୍ୟ ବାହାରକୁ ଯାଇ ଦାଦନ ଖଟିବାକୁ ବଧ୍ୟ ହେଉଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଭୂମିପୁତ୍ର ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଖଣିରେ ନିଯୁକ୍ତି ଦେବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି ।




















