ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟର ଚାଷୀ ସମସ୍ୟାକୁ ନେଇ ବିଜେଡି ରାଜ୍ୟ ସରକାରକୁ ଘେରିଥିଲା ବେଳେ ଏବେ ମଦକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବ ବୋଲି ଚେତାବନୀ ଦେଇଛି । ଓଡ଼ିଶାକୁ ମଦମୁକ୍ତ କରିବା ପାଇଁ ନିର୍ବାଚନ ସମୟରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ବିଜେପି ସରକାର କ୍ଷମତାକୁ ଆସିଥିଲା। ହେଲେ କ୍ଷମତାକୁ ଆସିବା ପରେ ମଦର ପ୍ରସାର ଓ ସହଜ ଉପଲବ୍ଧ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି କହିଛି ବିଜୁ ଜନତା ଦଳ ।
ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବା, କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକରେ ମଦ ବିକ୍ରି କରିବାକୁ ନିଷ୍ପତ୍ତି ନେଇ ବିଜେପି ସରକାର ଓଡ଼ିଶାବାସୀଙ୍କୁ ହତାଶ ଓ ନିରାଶ କରିଛି। ଓଡ଼ିଶାରେ ମହିଳା, ଶିଶୁଙ୍କ ସୁରକ୍ଷା ତଥା ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ସରକାରଙ୍କ ଏପରି ପଦକ୍ଷେପ ପରିସ୍ଥିତିକୁ ଆହୁରି ସଂକଟଜନକ କରିଦେବ। ଏହା ଓଡ଼ିଶାର ମା’ଭଉଣୀଙ୍କ ସୁରକ୍ଷାକୁ ଆହୁରି ବିପନ୍ନ କରିବା ସହ ଯୁବସମାଜ ଓ କୋମଳମତି ଛାତ୍ରଙ୍କ ମନକୁ ବିକୃତ କରିବ।
ବିଜେପି ସରକାର ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରୁ। ନଚେତ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନକୁ ଜୋରଦାର କରିବ ବୋଲି ଦଳ ପକ୍ଷରୁ କୁହା ଯାଇଛି ।




















