ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗତ ୬ ତାରିଖ ଦିନ ବିଜେପିର ଆତଙ୍କରାଜ, ଗୁଣ୍ଡାରାଜ ବିରୁଦ୍ଧରେ ସୁକିନ୍ଦା ବିଜେଡି କଳା ଦିବସ ପାଳନ କରିଥିଲା । ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ(ଡ୍ୟାନି)ଙ୍କ ନେତୃତ୍ୱରେ ଏହି ହାଇ ଭୋଲ୍ଟେଜ ସୋ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ଯୋଗଦାନ କରିଥିଲେ । ହେଲେ ଜିଲ୍ଲାର ଅନ୍ୟ ବିଧାୟକ ଓ ବିଜେଡି ନେତା ଉପସ୍ଥିତ ନଥିଲେ । ମୁଖ୍ୟତ ନିର୍ବାଚନ ମଣ୍ଡଳୀ ବିଜେଡି ନେତା ଓ ନେତ୍ରୀ କାର୍ଯ୍ୟକ୍ରମରେ ସାମିଲ ଥିଲେ । କାର୍ଯ୍ୟକ୍ରମରେ ବିପୁଳ ଜନ ସମାଗମ ଡ୍ୟାନିଙ୍କ ଲୋକପ୍ରିୟତା ଓ ବିଜେପିର କାର୍ଯ୍ୟଧାରାରେ ସୁକିନ୍ଦା ଜନ ସାଧାରଣ କେତେ ବିମୁଖ ଓ ପ୍ରତିକ୍ରିୟାଶୀଳ ତାକୁ ପ୍ରକାଶ କରିଥିଲା । ବିଜେଡିର ଏହି ହାଇ ଭୋଲ୍ଟେଜ ସୋର ଚର୍ଚ୍ଚା ଏବେ ସାରା ରାଜ୍ୟରେ । ଆୟୋଜିତ ସଭାରେ ଏକ ବର୍ଷ ହେଲା ନିରବ ମୁଦ୍ରାରେ ଥିବା ଡ୍ୟାନି ନିଜର ଉଗ୍ରରୂପ ଦେଖାଇଥିଲେ । ବିଜେପି ଦଳ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କୁ ଖୋଲା ଆହ୍ୱାନ ଦେଇଥିଲେ ଡ୍ୟାନି । ଉପସ୍ଥିତ ଜନ ସମୁଦ୍ରକୁ ଇଙ୍ଗିତ କରି ଏହା ଟ୍ରେଲର, ଆଗକୁ ଫିଲ୍ମ ଅଛି ବୋଲି କହିଥିଲେ । ସୁକିନ୍ଦା ଲୋକଙ୍କ ଉପରେ ଆଙ୍ଗୁଳି ଉଠାଇଲେ ହାତ କାଟି ଦେବାର ଧମକ ମଧ୍ୟ ଦେଇଥିଲେ । ବର୍ଷକରେ ବହୁ କାଣ୍ଡ ଘଟାଇଲ, ଏବେ ସୁଧୁରୀ ଯା ବୋଲି ଚେତାବନୀ ଦେଇଥିଲେ । ଡ୍ୟାନିଙ୍କ ନାଲି ଆଖି ଦେଖି ବିଜେପିରେ କମ୍ପନ ସୃଷ୍ଟି ହୋଇଥିଲା ବେଳେ ମନ ମାରି ବସିଥିବା ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦ୍ବିଗୁଣିତ ହୋଇଛି ।
ହେଲେ ଏହି ହାଇ ଭୋଲ୍ଟେଜ ସୋ ପରେ ନିର୍ବାଚନ ସମୟରେ ଗୃହ ଶତ୍ରୁ ବିଭୀଷଣ ସାଜି ଦଳକୁ ପରାଜିତ କରି ବିଜେଡି ଛାଡିଥିବା ନେତାଙ୍କ ହୃତକମ୍ପ ସୃଷ୍ଟି ହୋଇଛି । ନିଜ ବ୍ୟବସାୟ ସାମ୍ରାଜ୍ୟ ବଢାଇବାକୁ ବିଜେପି ହାତ ଧରିଥିବା ଏହି ନେତା ବିଜେପି କର୍ମୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଏଣେ ଡ୍ୟାନି ଆକ୍ରମଣ ମୁଦ୍ରାକୁ ଫେରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଦ୍ୱାରା ବିଜେଡି ଆଗକୁ ଅଧିକ ଶକ୍ତି ପ୍ରଦର୍ଶନ କରିବା ନିଶ୍ଚିତ । ଏକ ବର୍ଷ ପରେ ଡ୍ୟାନିଙ୍କ ଲୋକପ୍ରିୟତା ବଢିଥିବା ଦେଖି ପୂର୍ବତନ ବିଜେଡି ନେତାଙ୍କ ଟେନ୍ସନ ବଢି ଯାଇଛି । ଏପରି ସ୍ଥଳରେ ଦୀର୍ଘ ବର୍ଷ ଦଳରେ ରହି ଘଡେଇ ପରିବାର ଆଶୀର୍ବାଦରୁ ପ୍ରତିଷ୍ଠା ପାଇଥିବା ନେତା ଓ ନେତ୍ରୀ ଦଳ ଛାଡିବା ଓ ଘଡେଇ ପରିବାର ବିରୁଦ୍ଧରେ ବିଶୋଦ୍ଗାରର ଜବାବ ବିଜେଡି ଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହାକୁ ନେଇ ଦଳ ଛାଡିଥିବା ନେତାଙ୍କର ରକ୍ତଚାପ ବଢି ଯାଇଛି । ଅନ୍ୟ ପକ୍ଷରେ କ୍ଷମତାଶାଳୀ ଦଳରେ ସାମିଲ ହେବାକୁ ଗୋଡ଼ ଟେକି ବସିଥିବା କିଛି ବିଜେଡି ନେତା ଏବେ ପଛ ଘୁଞ୍ଚା ଦେବା ଆରମ୍ଭ କଲେଣି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି ।