ଓଡ଼ିଶା ଲିଡ୍ସ(ବ୍ୟୁରୋ): ସବୁ ସମୟରେ ପାକିସ୍ତାନର ରାଜନୈତିକ ଇତିହାସରେ ସେନା ଏବଂ ଆଇଏସଆଇର ନିର୍ଣ୍ଣାୟକ ଭୂମିକା ରହିଥାଏ । ପାକିସ୍ତାନରେ ବର୍ଷ ବର୍ଷ ଧରି, କ୍ଷମତାର ଲଗାମ ସେନା ଓ ଆଇଏସଆଇ ହାତରେ ରହିଆସିଛି। ଏ ବିଷୟରେ ପାକିସ୍ତାନର କୌଣସି ନେତା ଏହାକୁ ଖୋଲାଖୋଲି କହିବାକୁ ସାହସ କରନ୍ତି ନାହିଁ। ହେଲେ ପ୍ରଥମ ଥର ପାଇଁ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଖୋଲାଖୋଲି ଭାବରେ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସଆଇର ପ୍ରତ୍ୟକ୍ଷ ହସ୍ତକ୍ଷେପକୁ ସ୍ୱୀକାର କରିଛନ୍ତି।ସିଆଲକୋଟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଖୱାଜା ଆସିଫ ଅଭିଯୋଗ ଆଣିଛନ୍ତି ଯେ ୨୦୧୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ କ୍ଷମତାରୁ ହଟାଇବା ପାଇଁ ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ପୂର୍ବତନ ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମିଦଙ୍କ ତତ୍ତ୍ୱାବଧାନରେ ରଚନା କରାଯାଇଥିଲା। ସେ କହିଛନ୍ତି ଯେ ଫୈଜ ହମିଦଙ୍କୁ ୧୫ ମାସର ବିଚାରରେ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ଭବିଷ୍ୟତରେ ତାଙ୍କ ବିରୁଦ୍ଧରେ ଅଧିକ ଗମ୍ଭୀର ଅଭିଯୋଗ ଆସିପାରେ, ଯାହା ଉପରେ ମାମଲା ରୁଜୁ କରାଯିବ।
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ନୱାଜ ସରିଫଙ୍କୁ ହଟାଇବା, ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା, ତାଙ୍କୁ ଦେଶ ବାହାରକୁ ପଠାଇବା ଏବଂ ପରେ ଇମ୍ରାନ ଖାଁଙ୍କୁ କ୍ଷମତାକୁ ଆଣିବା ଏକ ସୁଚିନ୍ତିତ ଯୋଜନାର ଅଂଶ ଥିଲା। ଫୈଜ ହମିଦ ଏହାର ଦାୟିତ୍ୱରେ ଥିଲେ ଏବଂ ୨୦୧୮ ସାଧାରଣ ନିର୍ବାଚନରେ ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।




















