ଓଡ଼ିଶା ଲିଡ୍ସ(ଯାଜପୁର):ସୁକିନ୍ଦା ବ୍ଲକ ବନ୍ଧଗାଁ ପଞ୍ଚାୟତର ସାତ ଗୋଟି ପଡ଼ା ଗାଁରେ ଜନସାଧାରଣ ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି । ଏ ନେଇ ତୁରନ୍ତ ପଦକ୍ଷେପ ନେବା ବଦଳରେ ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି । ବନ୍ଧ ଗାଁ ପଞ୍ଚାୟତର ଗୁହାଳ ଡିହ, ବଣ ସାହି, ଫାର୍ମ ସାହି, ବାଙ୍କୀ ସାହି, ଲକ୍ଷ୍ମୀ ସାହି, ତଳ ସାହି ଓ ମୁଣ୍ଡା ସାହିକୁ ସ୍ଵଜଳ ଧାରା ଯୋଜନାରେ ଏକ ଓଭର ହେଡ ଟାଙ୍କି ଦ୍ଵାରା ଜଳ ଯୋଗାଣ ହେଉଥିଲା। ଗତ ପ୍ରାୟ ଆଠ ମାସ ହେବ ଏହି ଯୋଜନାରେ ଜଳ ଯୋଗାଣ ନିମନ୍ତେ ବ୍ୟବହୃତ ହେଉଥିବା ଦୁଇ ଗୋଟି ପାଣି ପମ୍ପ ଅଚଳ ହୋଇ ପଡ଼ି ରହିଛି। ଫଳରେ ଏହି ସବୁ ଗାଁ ଲୋକ ପିଇବା ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି । ଅସହ୍ୟ ଗରମ ଓ ଗୁଳୁଗୁଳି ସାଙ୍ଗକୁ ଜଳ କଷ୍ଟ ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ପାଣି ପମ୍ପକୁ ସଜାଡ଼ିବାକୁ ବିଭିନ୍ନ ସମୟରେ ଦାବି ହୋଇଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ବ୍ଲକ ପ୍ରଶାସନ ନେଉ ନଥିବା ଅଭିଯୋଗ ହୋଇଛି । ଗ୍ରୀଷ୍ମ ପ୍ରବାହ ସମୟରେ ଗ୍ରାମ୍ୟ ପାନୀୟ ଓ ଜଳ ଯୋଗାଣ ବିଭାଗ ପାଣି ପମ୍ପ ମରାମତି ବା ଅନ୍ୟ ବ୍ୟବସ୍ଥା ଦ୍ଵାରା ଜଳ ଯୋଗାଣ ସ୍ଵାଭାବିକ କରିବ ବୋଲି ଆଶା କରିଥିବା ଗ୍ରାମବାସୀ ନିରାଶ ହୋଇଛନ୍ତି । ଅଭିଯୋଗ ଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସରପଞ୍ଚ ରେବତୀ ମହାନ୍ତ ତାଙ୍କ ପଞ୍ଚାୟତର ଏ ସମସ୍ୟା ସମ୍ପର୍କରେ ଆର.ଡବ୍ଲ୍ୟୁ.ଏସ.ଏସ. ର କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବିଭାଗୀୟ କର୍ମଚାରୀ ବା ଅଧିକାରୀ ପଞ୍ଚାୟତକୁ ଆସି ନ ଥିବା କ୍ଷୋଭର ସହିତ ପ୍ରକାଶ କରିଛନ୍ତି । ବଣ ଜଙ୍ଗଲ ଘେରା ଅଞ୍ଚଳରେ ରହୁଥିବା ତାଙ୍କ ପଞ୍ଚାୟତର ଆଦିବାସୀ ଓ ସରଳ ଲୋକଙ୍କ ସାଧାରଣ ଆବଶ୍ୟକତା ପ୍ରତି ପ୍ରଶାସନ ଆଖି ବୁଜି ଦେଇଥିବା ମଧ୍ୟ ସେ କହିଛନ୍ତି । ଗ୍ରୀଷ୍ମ ପ୍ରବାହ ପୂର୍ବରୁ ପ୍ରସ୍ତୁତି ବୈଠକରେ ରାଜ୍ୟ ସରକାର ସମସ୍ତ ନଳ କୂପ ଗୁଡ଼ିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରି ଜଳ ଯୋଗାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁକିନ୍ଦା ବ୍ଲକ କର୍ତ୍ତୃପକ୍ଷ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରୁଥିବାର ଦେଖିବାକୁ ମିଳିଛି। ଯାହା ଫଳରେ ହଜାର ହଜାର ଲୋକ ଜଳ କଷ୍ଟ ଭୋଗୁଛନ୍ତି ।
