ଓଡ଼ିଶା ଲିଡ୍ସ(ଯାଜପୁର): ଏହା କୌଣସି ଗାଁ ଗହଳିର ରାସ୍ତା ନୁହେଁ । ଯେଉଁଠି ବିକାଶ ଅପହଞ୍ଚ । ଏହା ହେଉଛି ୫୩ ନମ୍ବର ଜାତୀୟ ରାଜପଥ । ଯେଉଁ ରାଜପଥ ବିକାଶର ବିକଳ ଚିତ୍ର ଦେଖାଉଛି । ଏହା ହେଉଛି ରାଜ୍ୟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଠାରୁ ଡୁବୁରୀର କିଛି ଅଂଶ । ଏହି ରାସ୍ତାରେ ଯିଏ ଗତାଗତ କରୁଛି ସେ ବିକାଶକୁ ମର୍ମେ ମର୍ମେ ଅନୁଭବ ତ କରୁଛି, ଯିଏ ଏହି ରାସ୍ତାର ଫଟୋ ଦେଖିବ ସେ ବି ବିକାଶର ଚିତ୍ରକୁ ଦେଖି ପାରିବ ।

ଏବେ ଜନସାଧାରଣଙ୍କ ପାଇଁ ମରଣଯନ୍ତା ସାଜିଛି ଏହି ରାସ୍ତା । ରାସ୍ତାର ଏହି ଅବସ୍ଥା ପାଇଁ ଦୈନିକ ଛୋଟ ବଡ଼ ଦୁର୍ଘଟଣା ବି ଘଟୁଛି । ରାସ୍ତା ନିର୍ମାଣରେ ନିୟୋଜିତ ଏମଏସଆଇଏଲ ଠିକାସଂସ୍ଥା ନିର୍ମାଣ କାର୍ଯ୍ୟରେ ନିଜର ମନମାନି ଚଳାଇ ଥିଲା ବେଳେ ଏନଏଚଏଆଇ କର୍ତ୍ତୃପକ୍ଷ ମଧ୍ୟ ନିରବ ବସି ଠିକା ସଂସ୍ଥାକୁ ଅଧିକ ପ୍ରୋତ୍ସାହିତ କରୁଛନ୍ତି । କେନ୍ଦ୍ର ସରକାର ବିକାଶକୁ ନେଇ ମୁହଁ ଫଡୁରି ମାରୁଥିଲା ବେଳେ ଏହି ରାଜପଥ କଣ ଦେଶ ବାହାରେ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ ।