ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗତକାଲି ବିଭିନ୍ନ ସମସ୍ୟା ନେଇ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଓ ନୀଳାଚଳ ପ୍ଲାଣ୍ଟ ଦ୍ୱାରା କ୍ଷତିଗ୍ରସ୍ଥ ବାରଗାଡ଼ିଆ ପଞ୍ଚାୟତର ବିଭିନ୍ନ ଗ୍ରାମର ବିଭିନ୍ନ ପରିବାରବର୍ଗ ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲେ । ସେମାନଙ୍କ ଦାବି ଅନୁଯାୟୀ ଟାଟା ଓ ନୀଳାଚଳ କାରଖାନା ପାଇଁ ଗ୍ରାମବାସୀ ପ୍ରଦୂଷଣର ଶିକାର ହୋଇ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛନ୍ତି ।
ଏହା ସହିତ ଅନ୍ୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ସେମାନଙ୍କୁ ତୁରନ୍ତ ବିସ୍ଥାପିତ କରିବା ସହିତ ଉପଯୁକ୍ତ ଥଇଥାନ ଓ ନିଯୁକ୍ତି ପ୍ରଦାନ କରାଯାଉ । ଏହା ସହିତ ବିଭିନ୍ନ ରୋଗରେ ପୀଡିତ ରେଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମଧ୍ୟ ଦାବି କରିଛନ୍ତି ଗ୍ରାମବାସୀ । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ସୁକିନ୍ଦାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ମଧ୍ୟ ଆନ୍ଦୋଳନ କାରୀଙ୍କ ସହିତ ଧାରଣା ସ୍ଥଳରେ ଯୋଗଦେଇ ଧାରଣାରେ ବସିଥିଲେ ।
ଆନ୍ଦୋଳନକାରୀଙ୍କ ମଧ୍ୟରେ ବାରଗାଡ଼ିଆ ପଞ୍ଚାୟତର ଶତାଧିକ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ପରିବାର ସାମିଲ ହୋଇଛନ୍ତି । ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ବର୍ଗର ହୋଇ ଦଳିତ, ଆଦିବାସୀ ଏବଂ ପଛୁଆ ବର୍ଗଙ୍କର ସ୍ୱାର୍ଥକୁ ଅଣଦେଖା କରୁଛନ୍ତି । ଯାହା କରିବା ଅନୁଚିତ । ଆମେ ନିଜର ହକ ମାଗୁଛୁ, ସରକାର ଆମକୁ ଆମ ହକ ଦେଉ । ପୂର୍ବତନ ବିଧାୟକ ତଥା ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ କହିଛନ୍ତି ଯେଉଁ ମାନଙ୍କ ଅବଦାନ ବଳରେ ଶିଳ୍ପ ପ୍ରତିଷ୍ଠା ହୋଇଛି ସେମାନେ ଆଜି ଅବହେଳିତ । ସରକାର ସେମାନଙ୍କ ଦାବିକୁ ଅଣଦେଖା କରୁଛନ୍ତି । ଯାହା ନିନ୍ଦନୀୟ । ସରକାର ଦାବିକୁ ମାନି ନିଅନ୍ତୁ, ନଚେତ୍ ଦଳିତ ଓ ପଛୁଆ ବର୍ଗର ନାର୍ଯ୍ୟ ହକ୍ ପାଇଁ ବିଜୁ ଜନତା ଦଳ ଆନ୍ଦୋଳନକୁ ବ୍ୟାପକ କରିବ ।