ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚନ ଅନୁଷ୍ଠିତ ହେଉଥିଲା ବେଳେ ସଭାପତି ପଦ ପାଇଁ ଦୁଇ ପୂର୍ବତନ ଆଇଏଏସ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି । ଜଣେ ହେଲେ ଅସିତ ତ୍ରିପାଠୀ ଓ ଆଉ ଜଣେ ହେଲେ ପ୍ରଦୀପ ଜେନା । ଉଭୟ ରାଜ୍ୟ ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ । ଆସିତ ତ୍ରିପାଠୀ ତୃତୀୟ ଥର ପାଇଁ ସଭାପତି ପଦ ପାଇଁ ନିର୍ବାଚନ ଲଢୁଥିବା ବେଳେ ପ୍ରଥମ ଥର ପାଇଁ ଲଢ଼ୁଛନ୍ତି ପ୍ରଦୀପ ଜେନା।
ରାଜ୍ୟର ହାଇପ୍ରୋଫାଇଲ୍ ଭୁବନେଶ୍ବର କ୍ଲବ ନିର୍ବାଚନରେ କିଏ ବାଜି ମାତ କରିବେ ତାକୁ ନେଇ ବେଶ ଚର୍ଚ୍ଚା ହେଉଛି । ସଭାପତି ନିର୍ବାଚନକୁ ନେଇ ପାୱାର କରିଡରରେ ଚର୍ଚ୍ଚା ମଧ୍ୟ ସୃଷ୍ଟି ହୋଇଛି । କ୍ଲବ ନିର୍ବାଚନ ପାଇଁ ଆଜି ଭୋଟିଂ ହେଉଛି । ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ କ୍ଲବକୁ ଆସି ମତଦାନ କରିବେ ସଦସ୍ୟ ମାନେ । ସନ୍ଧ୍ୟା ୬ଟା ପରେ ଫଳାଫଳ ଘୋଷଣା କରାଯିବ। ସଦସ୍ୟ ମାନେ ବାଲଟରେ ମତଦାନ କରିବେ ।
ଏହା ପୂର୍ବରୁ ୨ ଥର ଭୁବନେଶ୍ବର କ୍ଲବ ସଭାପତି ରହିଥିବା ବେଳେ ଏଥର ଜିତିଲେ ହ୍ୟାଟ୍ରିକ କରିବେ ଆସିତ ତ୍ରିପାଠୀ । ଆସିତ ତ୍ରିପାଠୀଙ୍କ ସ୍ଲୋଗାନ୍ ରହିଛି “ବିକାଶ ଏକ ଯାତ୍ରା” । ଅନ୍ୟପଟେ ଅବସର ପରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପଦଭାର ଗ୍ରହଣ କରିଥିବା ପ୍ରଦୀପ ଜେନା ପ୍ରଥମ ଥର କ୍ଲବ ନିର୍ବାଚନକୁ ଓହ୍ଲାଇଛନ୍ତି। ତାଙ୍କର ନାରା ରହିଛି “ଭୋଟ ଫର ଚେଞ୍ଜ” ।




















