ଓଡ଼ିଶା ଲିଡ୍ସ(ଯାଜପୁର): ପ୍ରାତଃ ଭ୍ରମଣ କରୁଥିବା ଚାରି ଜଣ ଯୁବକଙ୍କ ଉପରେ ବସ ମାଡିଯିବାରୁ ସମସ୍ତ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଉତ୍ୟକ୍ତ ଲୋକମାନେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରିବା ସହିତ ଚାଳକଙ୍କୁ ଅଟକ ରଖିଛି । ସୂଚନା ଅନୁଯାୟୀ ଆଜି ସକାଳୁ ବରୁଆଁ-ବରୀ ରାସ୍ତାର ସୁଜନପୁରରୁ ବରୁଆଁ ଆଡ଼କୁ କିଛି ଯୁବକ ପ୍ରାତଃ ଭ୍ରମଣରେ ଆସୁଥିଲେ । ଏହି ସମୟରେ ବରୀରୁ କଟକ ଆସୁଥିବା ହର ଗୌରୀ ନାମକ ଏକ ଘରୋଇ ବସ ଯୁବକ ମାନଙ୍କୁ ଧୋବାଗଳି ଛକରେ ପଛରୁ ଧକ୍କା ଦେଇଥିଲା । ଫଳରେ କିଶୋର ଜେନା, ରାକେଶ ଜେନା, ଅଭୟ ଜେନା ଓ ମନମୋହନ ଜେନା ଗୁରୁତର ଆହତ ହୋଇଥିଲେ । ଯୁବକ ମାନଙ୍କ ବୟସ ୧୮ରୁ ୨୦ ବର୍ଷ ଭିତରେ ବୋଲି ଜଣା ଯାଇଛି । ଆହତ ମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଯାଜପୁର ମେଡ଼ିକାଲ ପଠାଇଥିଲେ । ସେଠାରେ ତିନି ଜଣଙ୍କ ଅବସ୍ଥା ଶୋଚନୀୟ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଖବର ପାଇ ଯାଜପୁର ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକ ମାନଙ୍କୁ ବୁଝା ସୁଝା କରିଥିଲା । ହେଲେ ଲୋକମାନେ ରାସ୍ତା ଅବରୋଧରୁ ହଟି ନଥିଲେ । ଖବର ପାଇ ଯାଜପୁର ବିଧାୟିକା ସୁଜାତା ସାହୁ, ବିଜେପି ନେତା ସଂଗ୍ରାମ ପାତ୍ର, ପୋଲିସ ଉପଖଣ୍ଡ ଅଧିକାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରୁଛନ୍ତି । ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟି ନାହିଁ ।




















