ଓଡ଼ିଶା ଲିଡ୍ସ(ଯାଜପୁର): ବିଜେଡି ସରକାର ବଦଳି ବିଜେପି ସରକାରକୁ ୧୫ ମାସ ପୁରିଲାଣି । ଗତ ନିର୍ବାଚନରେ ଯାଜପୁର ଜିଲ୍ଲାରେ ବିଜେପି କେବଳ ଖାତା ଖୋଲି ନାହିଁ ବିଜେଡି ହାତରୁ ଚାରିଟି ବିଧାନସଭା ଆସନ ସହିତ ଏକ ମାତ୍ର ସଂସଦୀୟ ଆସନ ମଧ୍ୟ ଛଡାଇ ନେଇଛି । କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଚାଲିଛି । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢିବା ପରେ ଓ ଯାଜପୁର ଭଳି ବିଜେଡିର ଗଡ଼ରେ ବିଜେପି ବିଜେଡି ଠାରୁ ଆଗକୁ ବଢିବା ପରେ ସାଧାରଣ ଲୋକେ ଆଶା କରିଥିଲେ ଯାଜପୁର ଜିଲ୍ଲାରେ ଡବଲ ବିକାଶ ହେବ । ବିଜେପି ନେତା ଓ କର୍ମୀ ମଧ୍ୟ ଡବଲ ଇଞ୍ଜିନ ସରକାରରେ ଡବଲ ବିକାଶ ଯାଜପୁର ଦେଖିବ ବୋଲି ଦୃଢୋକ୍ତି କରିଥିଲେ ।
ହେଲେ ବିଡ଼ମ୍ବନାର ବିଷୟ ଏହି ପନ୍ଦର ମାସ ମଧ୍ୟରେ ବିକଶିତ ଯାଜପୁର ଜିଲ୍ଲା ବିକାଶରେ ଯେମିତି ତାଲା ପଡି ଯାଇଛି । ବିଜେଡି ସରକାର ସମୟରେ ବିଜେଡିର ନେତା ମାନଙ୍କ ଉଦ୍ୟମରୁ ଜିଲ୍ଲାରେ ବ୍ୟାପକ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା । କେବଳ ଜିଲ୍ଲା ମୁଖ୍ୟାଳୟ ଯାଜପୁର ନିର୍ବାଚନ ମଣ୍ଡଳୀ ନୁହେଁ ଯାଜପୁର ସମେତ, ଧର୍ମଶାଳା, ବଡ଼ଚଣା, କୋରେଇ, ସୁକିନ୍ଦା, ବିଂଝାରପୁରରେ ବିକାଶ କାର୍ଯ୍ୟରେ ବେଶ ଅଗ୍ରଗତି ହୋଇଥିଲା । କେବଳ ବରୀ ନିର୍ବାଚନ ମଣ୍ଡଳୀରେ ଆଖି ଦୃଶିଆ ବିକାଶ ବିଭିନ୍ନ କାରଣ ପାଇଁ ସମ୍ଭବ ହୋଇ ପାରି ନଥିଲା । ହେଲେ ଅନ୍ୟ ୬ଟି ନିର୍ବାଚନ ମଣ୍ଡଳୀରେ ରାସ୍ତା ଘାଟ ସହିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା । ଜିଲ୍ଲା ପାଇଁ ବ୍ୟାପକ ଅର୍ଥରାଶି ସରକାରୀ ସ୍ତରରେ ବ୍ୟୟ ବରାଦ ହୋଇଥିଲା । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବହୁ ବଡ଼ ବଡ଼ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ବେଶ କିଛି ପ୍ରକଳ୍ପର କାର୍ଯ୍ୟ ମଧ୍ୟ ଶେଷ ହୋଇଥିଲା । ଗାଁ ଠାରୁ ନେଇ ସହରର ରାସ୍ତା ଘାଟରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ।
ହେଲେ ଏବେ ସବୁ ଯେମିତି ବନ୍ଦ ହୋଇ ଯାଇଛି । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଅଧାରୁ ଅଟକି ଥିଲା ବେଳେ ରାସ୍ତା ଘାଟ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ଗ୍ରାମ୍ୟ ରାସ୍ତା ଠାରୁ ନେଇ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଏବେ ମରଣ ଯନ୍ତା ପାଲଟି ଯାଇଛି । କୋଟି କୋଟି ଟଙ୍କାର ଆଲୋକି କରଣ କାର୍ଯ୍ୟ ଏବେ ଦିଗ ହରା ହୋଇ ପଡିଛି । ଯେଉଁ ରାସ୍ତା ଘାଟ, ଛକ ବଜାର ସଞ୍ଜ ନଇଁଲେ ଆଲୋକିତ ହେଉଥିଲା ତାହା ଏବେ ଅନ୍ଧାର ହୋଇ ପଡୁଛି । ରାସ୍ତା ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଲୁଟ ହେଉଛି । ମରାମତି ନାମରେ ହେଉଥିବା ପିଚୁ ଦିନ କେଇଟାରେ ଉଠି ଯାଉଛି । ଜିଲ୍ଲା ଏକ ପ୍ରକାର ନେତୃତ୍ୱ ଶୂନ୍ୟ ହୋଇ ପଡିଛି । ଦୀର୍ଘ ବର୍ଷ ହେଲା ବିକାଶର ପାହାଚ ଚଢୁଥିବା ଜିଲ୍ଲାବାସୀ ବିକାଶର ଏହି ପଛୁଆ ଗତିକୁ ଦେଖି କେବଳ ଚିନ୍ତିତ ହେଉ ନାହାନ୍ତି ବରଂ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ସୃଷ୍ଟି ହେଲାଣି । ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ରାଜନେତା ଓ ପ୍ରଶାସନ ସ୍ତରରେ ଯେଉଁ ଉଦ୍ୟମର ଆଵଶ୍ୟକତା ଅଛି ତାହା କିନ୍ତୁ ଦେଖିବାକୁ ମିଳୁନାହିଁ ଯାଜପୁର ଜିଲ୍ଲାରେ ।




















