ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟ ରାଜନୀତିକୁ ଉଷ୍ମ କରି ରଖିଛି ନୂଆପଡା ଉପନିର୍ବାଚନ । ନୂଆପଡା ଉପନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ଘମାଘୋଟ ଲଢେଇ ହେଉଛି । ପ୍ରଚାରକୁ ଦୃଷ୍ଟି ଦେଲେ ବିଜେପି ଓ ବିଜେଡି ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା । ପ୍ରଚାରରେ କଂଗ୍ରେସ କିଛି ପରିମାଣରେ ପଛରେ ପଡି ଯାଇଥିବା ପରିଲକ୍ଷିତ ହୋଇଛି । ବିଶେଷ କରି ଵିରୋଧି ଦଳ ନେତା ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବା ନିର୍ବାଚନ ପ୍ରଚାର ଓ ଚର୍ଚ୍ଚାକୁ ବେଶ ରୋଚକ କରି ଦେଇଥିଲା । ନବୀନଙ୍କ ବେଇମାନ ଉବାଚ ଉଭୟ ଦଳ ମଧ୍ୟରେ ମୁହାଁ ମୁହିଁ ସ୍ଥିତି ସୃଷ୍ଟି କରିଥିଲା ।
ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦଳ ସଭାପତି ମନମୋହନ ସାମଲ, ଦୁଇ ଉପ ମୁଖ୍ୟମନ୍ତ୍ରୀ ଜୋରଦାର ପ୍ରଚାର କରିଥିଲା ବେଳେ ସମସ୍ତ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଜୋରଦାର ପ୍ରଚାର କରିଥିଲେ । ହେଲେ ଦଳର କୌଣସି କେନ୍ଦ୍ରୀୟ ନେତା ଉପ ନିର୍ବାଚନ ପ୍ରଚାରକୁ ନ ଆସିବା ଚର୍ଚ୍ଚା ସୃଷ୍ଟି କରିଛି ।
ବିଜେଡିର ରାଜ୍ୟ ସ୍ତରୀୟ ନେତାଙ୍କ ସହିତ ସମସ୍ତ ବିଧାୟକ ଓ ବିଧାୟିକା ଦଳ ପାଇଁ ବ୍ୟାପକ ପ୍ରଚାର କରିଥିଲେ । ହେଲେ ନବୀନ ପଟ୍ଟନାୟକ ଥିଲେ ନୂଆପଡା ଉପନିର୍ବାଚନର ସବୁଠାରୁ ଚର୍ଚ୍ଚିତ ପ୍ରଚାରକ । ତାଙ୍କର ଦୁଇଥର ଗସ୍ତରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହେବା ବିଜେଡିକୁ ବେଶ ଉତ୍ସାହିତ କରିଛି । ଏହା ମଧ୍ୟ ବିଜେପି ଓ କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛି ।
ଅନ୍ୟ ପକ୍ଷରେ କଂଗ୍ରେସ ପ୍ରଚାର ମଙ୍ଗ ଧରିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ତାଙ୍କ ସହିତ ବିଧାୟକ, ବିଧାୟିକା, ବରିଷ୍ଠ ନେତା ପ୍ରଚାରରେ ସାମିଲ ହୋଇଥିଲେ ।
ତିନିଦଳ ଜୋରଦାର ପ୍ରଚାର କରି ନୂଆପଡାବାସୀଙ୍କ ମନ ଜିଣିବାକୁ ଭରପୁର ଉଦ୍ୟମ କରିଥିଲେ । ବ୍ୟାନର, ପୋଷ୍ଟର, ହୋର୍ଡିଂ, ଦଳୀୟ ପତାକାର ନୂଆପଡା ଛାଇ ଯାଇଥିଲା । ତିନିଦଳ ବିଶେଷ କରି ମହିଳା ଓ ଯୁବ ଭୋଟରଙ୍କ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ପ୍ରଚାର ସମୟରେ ବିଜେପି ଓ ବିଜେଡି ମଧ୍ୟରେ ସ୍ୱର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋକୁ ନେଇ ବିବାଦ ଦେଖା ଦେଇଥିଲା । ଏହା ସହିତ ବିଜେଡି ନେତା, ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତିରଞ୍ଜନ ଘଡାଇଙ୍କ ଭଡା ଘରେ ରେଡ଼ ହେବା, ଦଳର ଉପସଭାପତି ପ୍ରଣବ ପ୍ରକାଶ ଦାସଙ୍କ ନାମରେ ଥାନାରେ ଅଭଯୋଗ ହେବା ସହିତ କିଛି ବିଜେଡି ନେତାଙ୍କ ଘରେ ଆଇଟି ଚଢ଼ାଉ ହେବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା । ଚଢ଼ାଉରୁ ବର୍ତ୍ତି ନଥିଲେ ମଧ୍ୟ କିଛି କଂଗ୍ରେସ ନେତା । ଅନ୍ୟ ପକ୍ଷରେ ବିଭିନ୍ନ ଘଟଣାକୁ ନେଇ ବିଜେଡି ବାରମ୍ବାର ନିର୍ବାଚନ କମିଶନ ନିକଟରେ ଫେରାଦ ହେବା ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଥିଲା । ଆଜି ପ୍ରଚାର ସରିଥିଲା ବେଳେ ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଘଣ୍ଟାର ବାକି । ପ୍ରଚାର ପରେ ମଧ୍ୟ ଅନ୍ୟଏକ ଘଟଣା କିନ୍ତୁ ତିନିଦଳକୁ ଚିନ୍ତାରେ ପକାଇ ଦେଇଛି । ନୂଆପଡା ଭୋଟର ଅସମ୍ଭବ ନୀରବତା ଅବଲମ୍ବନ କରିବା ରାଜନୀତି ପଣ୍ଡିତଙ୍କ ହିସାବକୁ ବି ଗୋଳମାଳ କରିଦେବାର ଆଶଙ୍କା ସୃଷ୍ଟି କରିଛି ।




















