ଓଡ଼ିଶା ଲିଡ୍ସ(ଯାଜପୁର): ଗତ କାଲି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଆସନ୍ତା ୬ ତାରିଖରେ ସୁକିନ୍ଦା ବିଜେଡି କଳା ଦିବସ ପାଳନ ପାଇଁ ଦେଇଥିବା ଆହ୍ୱାନକୁ ବିରୋଧ କରିଥିଲା । ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଜେପିର କାର୍ଯ୍ୟ କଳାପକୁ ଆକ୍ଷେପ କରାଯିବା ସହିତ ମାତ୍ର ୧୧ ମାସ ମଧ୍ୟରେ ସୁକିନ୍ଦାରେ ଅରାଜକତା, ଆତଙ୍କରାଜ, ଲୁଟ ପାଟ, ଆକ୍ରମଣ, ଲଘୁ ଖଣିଜ ପଦାର୍ଥର ବ୍ୟାପକ ଚୋରି, କ୍ରୋମାଇଟ ଲୁଟ ଆଦି ଘଟଣା ନେଇ ବିଜେପି ଠାରୁ ଉତ୍ତର ଚାହିଁଛି ବିଜେଡି । ସୁକିନ୍ଦା ବ୍ଲକ ବିଜେଡି ସଭାପତି ବିବେକାନନ୍ଦ ବୋଷଙ୍କ ପୌରହିତ୍ୟରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ଦାନଗଦି ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସ, ସୁକିନ୍ଦା ବ୍ଲକ ଉପାଧ୍ୟକ୍ଷା ଭାଗ୍ୟ ଲକ୍ଷ୍ମୀ ରାଉତ, ଜିଲ୍ଲା ପରିଷଦ ସଭ୍ୟା ଟିନା ହାଇବୃ, ସୁଚିତ୍ରା ବିଶ୍ୱାଳ, ସ୍ମୃତି ରାଣୀ ରାଉତ, ଦାନଗଦି ବ୍ଲକ ବିଜେଡି ସଭାପତି ଶୁରେଶ କୁମାର ଦାସ, ସୁକିନ୍ଦା ନିର୍ବାଚନ ମଣ୍ଡଳୀ ବିଜେଡି ମୁଖପାତ୍ର ଦେବୀ ପ୍ରସାଦ ମହାନ୍ତି, ଲୋକନାଥ ଧୀର, ପ୍ରଦୀପ କୁମାର ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ବିଜେଡି କହିଛି ଆଜି ଏକ ଘଡିସନ୍ଧି ସମୟ ଦେଇ ସୁକିନ୍ଦାବାସୀ ଗତି କରୁଛନ୍ତି । ବିଜେପି ଏଗାର ମାସର ଶାସନରେ ସୁକିନ୍ଦା ଉପରେ ଆତଙ୍କର କଳା ବାଦଲ ଛାଇ ଦେଇଛି । ଆଜି ସୁକିନ୍ଦାବାସୀ ବିଜେପି ଆତଙ୍କରେ ଆତଙ୍କିତ, ଜନ ସାଧାରଣ ଅସ୍ତବ୍ୟସ୍ତ ଓ ଅସୁରକ୍ଷିତ। ଅଶାନ୍ତ ସୁକିନ୍ଦାରେ ଶାନ୍ତି ଫେରାଇ ଆଣିବାକୁ ବିଜେଡି କଳା ଦିବସର ଡାକରା ଦେଇଛି । ଆପଣ ମାନଙ୍କ ମନେ ଥିବ ନିର୍ବାଚନ ପରେ ୨୦୨୪ ମସିହା ଜୁନ ୬ ତାରିଖ ଦିନ ଜଣେ ମେହେନତି ସରଳ ବ୍ୟକ୍ତି, ସୁକିନ୍ଦା ମାଟିର ପୁଅ, ଖଟିଖିଆ ଭରତ ମହାନ୍ତଙ୍କୁ ରକ୍ତାକ୍ତ ଆକ୍ରମଣ କରି ତାଙ୍କ ରକ୍ତ ଛିଟା ପକାଇ ଆତଙ୍କର ପ୍ରଥମ ଭେଟି ଦେଇଥିଲେ ବିଜେପିର ବିଧାୟକ । ଗୁରୁତର ଆହତ ଶ୍ରୀ ମହାନ୍ତ କଟକରେ ଦୀର୍ଘ ଦିନ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ । ୨୦୨୪ ମସିହା ଜୁନ ୬ ତାରିଖରେ ଆରମ୍ଭ ହୋଇଥିବା ଏହି ଆତଙ୍କର ଧାରା କମିବା ପରିବର୍ତ୍ତେ ଆଜି ବଢ଼ି ବଢ଼ି ଚାଲିଛି । ଆତଙ୍କର ସେହି ଆରମ୍ଭ ଦିନକୁ ସ୍ମରଣ କରି ଆସନ୍ତା ୬ ତାରିଖ “କଳା ଦିବସ”ର ଡାକରା ଦିଆ ଯାଇଛି । ନିଜ ସଙ୍ଗଠନକୁ ବଢାଇବାକୁ ବିଜେପି ସୁକିନ୍ଦାର ଖଣି ଓ କଳ କାରଖାନାରେ କାମ କରୁଥିବା ନିରୀହ ଶ୍ରମିକ ମାନଙ୍କୁ ସଙ୍ଗଠନରେ ସାମିଲ ନ ହେଲେ ଚାକରି ହରାଇବାର ଭୟ ଦେଖାଉଛି । ଯେଉଁ ମାନେ ତାଙ୍କ ସଙ୍ଗଠନରେ ସାମିଲ ହୋଇ ନାହାନ୍ତି ସେମାନଙ୍କ ମଧ୍ୟରୁ କିଛି ଶ୍ରମିକଙ୍କ ଚାକରି ମଧ୍ୟ ଛଡେଇ ନିଆ ଯାଇଛି । ଆଜି ଚାକରି ହରାଇଥିବା ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି । କଳିଙ୍ଗ ନଗରର ପୁଞ୍ଜିପତି, ଠିକାଦାର ମାନଙ୍କ ଠାରୁ ବଳ ପୂର୍ବକ ବିପୁଳ ଚାନ୍ଦା ଆଦାୟ କରାଯାଉଛି । ଯାହା ଫଳରେ ସେମାନେ ସୁକିନ୍ଦା ଛାଡି ଚାଲିଯିବାକୁ ନିଷ୍ପତି ନେଇ ସାରିଲେଣି ।
ବ୍ଲକ, ତହସିଲ, ଥାନାକୁ ବିଜେପି ଦଳୀୟ ଲୋକ ଯାଉଥିଲା ବେଳେ ସାଧାରଣ ଲୋକଙ୍କୁ ସେଠାକୁ ଯିବା ପାଇଁ ଜୋର ଜବରଦସ୍ତ ଅଟକା ଯାଉଛି । ସୁକିନ୍ଦାର ସମସ୍ତ ଥାନା ଏବେ ବିଜେପି ନେତାଙ୍କ କାର୍ଯ୍ୟାଳୟ ସାଜିଛି । ସାଧାରଣ ଲୋକଟିଏ ଅଭିଯୋଗ ନେଇ ଗଲେ ଦଳୀୟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଫଳରେ ବହୁ ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ପୁଞ୍ଜି ନିବେଶ ପାଇଁ ପୁଞ୍ଜିପତି ଶାନ୍ତ ପରିବେଶ ଚାହୁଁ ଥିଲା ବେଳେ ଦୀର୍ଘ ୩୪ ବର୍ଷ ସୁକିନ୍ଦା ଶାନ୍ତ ଥିବାରୁ ବହୁ ବଡ଼ ବଡ଼ ଶିଳ୍ପପତି ଏଥିରେ ଆକର୍ଷିତ ହୋଇ ସୁକିନ୍ଦାରେ ଶିଳ୍ପ ପ୍ରତିଷ୍ଠା କରି ରାଜ୍ୟ ତଥା ଦେଶର ଅର୍ଥନୈତିକ ବିକାଶ କରିଛନ୍ତି । ଏବେ ସୁକିନ୍ଦା ଅଶାନ୍ତ ହୋଇଥିବାରୁ, ପୁଞ୍ଜିପତିଙ୍କ ଠାରୁ ବିପୁଳ ଚାନ୍ଦା ଆଦାୟ କରାଯାଉଥିବାରୁ କେହି ସୁକିନ୍ଦାରେ ପୁଞ୍ଜି ନିବେଶ ପାଇଁ ମନ ନ ବଳାଇ ଅନ୍ୟ ସ୍ଥାନରେ ପୁଞ୍ଜି ନିବେଶର ଯୋଜନା କରୁଛନ୍ତି । ଆଗକୁ ମଧ୍ୟ କେହି କଳିଙ୍ଗ ନଗରରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ବିଗତ ଦିନରେ ସ୍ଥାନୀୟ ବିଧାୟକ ଗଣ ମାଧ୍ୟମରେ ସୁକିନ୍ଦାରେ ଶିଳ୍ପକୁ ଅଭିଶାପ କହିଛନ୍ତି । ଦୀର୍ଘ ୩୪ ବର୍ଷ ପରେ ସୁକିନ୍ଦାବାସୀ ପରାଧିନତାର ଶିକୁଳିରେ ବାନ୍ଧି ହୋଇଛନ୍ତି । ସେମାନଙ୍କ ସ୍ୱାଧୀନତାକୁ ବିଜେପିର ବିଧାୟକ ତଥା ମନ୍ତ୍ରୀ ଲୁଣ୍ଠନ କରିଛନ୍ତି । ବିଧାୟକଙ୍କ ଗୁଣ୍ଡା ବାହିନୀ ସାଧାରଣ ଲୋକଙ୍କୁ ଆକ୍ରମଣ ପରେ ଆକ୍ରମଣ କରି ଆତଙ୍କ ସୃଷ୍ଟି କରି ଏହାକୁ ପ୍ରମାଣିତ କରିଛନ୍ତି ।
ମାତ୍ର ଏଗାର ମାସ ମଧ୍ୟରେ ସୁକିନ୍ଦାରେ ଆତଙ୍କର କଳା ବାଦଲ ଛାଇ ଦେଇ ବିଜେପି ଲୋକପ୍ରିୟତା ହରାଇ ସାରିଛି । ଏଥିରୁ ବଞ୍ଚିବା ପାଇଁ ଶାନ୍ତିର ବାର୍ତ୍ତା ଦେବାର ଛଳନା କରୁଛି ବିଜେପି । ସଧାରଣ ଲୋକେ ବିଜେପିକୁ ଭୋଟ ଦେଇ ବିଜୟୀ କରିଥିଲେ । ଏବେ ସେଇ ଲୋକ ବିଜେପି ଠାରୁ ଓ ବିଜେପି ନେତାଙ୍କ ଠାରୁ ମୁହଁ ଫେରାଇ ସାରିଛନ୍ତି । ନିର୍ବାଚନରେ ବିଜୟୀ ହୋଇ ମନ୍ତ୍ରୀପଦ ପାଇବା ପରେ ବିଧାୟକଙ୍କ ଇଙ୍ଗିତରେ ବିଜେପି ନେତା ମାନେ ହିଂସ୍ର ହୋଇ ଉଠିଛନ୍ତି । ବିଭିନ୍ନ ସମୟରେ ସାଧାରଣ ଲୋକ, ଦଳିତ ଆଦିବାସୀ ବର୍ଗର ଲୋକ, ଶ୍ରମିକ, ମହିଳାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିବା ସହିତ କାହା ଘର ଭାଙ୍ଗିବା, ଗାଡି ଭାଙ୍ଗିବା, ନଳକୂପ ଭାଙ୍ଗିବା ଭଳି କାର୍ଯ୍ୟ କରି ଚାଲିଛନ୍ତି ବିଜେପିର ଗୁଣ୍ଡା ବାହିନୀ ।
କେବଳ ସେତିକି ନୁହେଁ ବିଭିନ୍ନ ସମୟରେ ମହିଳା ମାନଙ୍କୁ ଆକ୍ରମଣ କରିଛନ୍ତି। ଜଣେ ମା’କୁ ଆକ୍ରମଣ କରି ତାଙ୍କ ଆଗରେ ତାଙ୍କ ଝିଅଙ୍କୁ ଦୁଷ୍କର୍ମ କରିବାର ଧମକ ଦେବା ଭଳି ଘୃଣ୍ୟ କାମ କରିବାକୁ ପଛାଇ ନାହାନ୍ତି ବିଜେପି କର୍ମୀ । ଏହି ଘଟଣା ରାଜ୍ୟରେ ବିରଳ ଘଟଣା ହୋଇଛି । ଜଣେ ଯୁବକକୁ ପୋଲିସ ହାତରୁ ଛଡାଇ ନେଇ ମାଡ଼ ମାରି ରକ୍ତାକ୍ତ ଅବସ୍ଥାରେ ଥାନା ଆଗରେ ପକାଇ ଦେଇ ନ୍ୟାୟ ବ୍ୟବସ୍ଥା ପ୍ରତି ବିଜେପିର କେତେ ସମ୍ମାନ ଅଛି ତାକୁ ଜଣାଇଛନ୍ତି ମନ୍ତ୍ରୀଙ୍କ ଚାମଚା ମାନେ।
ପରିବାର ବାଦ କଥା ଗଳା ଫଟାଇ ଚିତ୍କାର କରୁଥିବା ବିଜେପିର ନିଜ ଆଖିକୁ ଆଙ୍ଗୁଳି ଯାଉନାହିଁ । ନିଜ ଦଳର ନେତା ତାଙ୍କ ଭାଇ, ପୁଅ, ପୁତୁରା ଓ ସମ୍ପର୍କୀୟଙ୍କୁ ଧରି ସୁକିନ୍ଦାରେ ରାଜନୀତି କରି ଲୁଟ କରୁଛନ୍ତି ଓ ଚାନ୍ଦା ଆଦାୟ କରୁଛନ୍ତି ।
ଦୀର୍ଘ ବର୍ଷ ହେଲା ଖଣି ଚୋରି ବନ୍ଦ ଥିଲା ବେଳେ ମେସିନ ଲଗାଇ କ୍ରୋମାଇଟ କିଏ ଲୁଟୁଛି ସେ ବିଷୟରେ ବିଜେପି ଜବାବ ଦେବା ଉଚିତ । ରେଙ୍ଗାଲି କେନାଲରୁ ମାଟି କିଏ ଲୁଟୁଛି ତାର ମଧ୍ୟ ଜବାବ ଦେଉ ବିଜେପି । ଆଜି ସୁକିନ୍ଦାର ଲଘୁ ଖଣିଜ ସମ୍ପଦର ବ୍ୟାପକ ଲୁଟ ହେଉଛି । ବାଲି, ମାଟି, ନାଲିମାଟି ଦୈନିକ ଶହ ଶହ ଟ୍ରିପ ଲୁଟ ହେଉଛି । ଖଣି ଚୋରିରେ ସୁକିନ୍ଦା ବେଶ ଆଗକୁ ଚାଲି ଯାଇଛି । ଫଳରେ ରାଜ୍ୟ ସରକାର ବିପୁଳ ରାଜସ୍ୱ ହରାଉଛନ୍ତି । ଖଣି ଚୋରିକୁ ରୋକିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଏହା କାହା ଇଙ୍ଗିତରେ ହେଉଛି ସେ ବିଷୟରେ ବିଜେପି ଜବାବ ଦେବା ଉଚିତ । ରାଜ୍ୟ ରାଜସ୍ୱକୁ ଲୁଟି କିଏ ନିଜର ସଂମ୍ପତି ବଢ଼ାଉଛି ସେ ବିଷୟରେ ବିଜେପି ନିରବ ନ ବସି ଜବାବ ଦେଉ । କାହା ଇଙ୍ଗିତରେ ଆତଙ୍କରାଜ ସୃଷ୍ଟି କରି ସୁକିନ୍ଦାକୁ ଅଶାନ୍ତ କରାଯାଉଛି ସେ ବିଷୟରେ ସୁକିନ୍ଦାବାସୀ ଭଲ ଭାବେ ଜାଣି ସାରିଲେଣି । ବେଶ କିଛି ଦିନ ନିରବ ବସିବା ପରେ ଏବେ ଜବାବ ମାଗୁଛନ୍ତି ସୁକିନ୍ଦାବାସୀ, ଯାହାର ଜବାବ ବିଜେପି ଦେବା ଉଚିତ ବୋଲି କହିଛି ବିଜେଡି।
ଚୋରା ନାଲିମାଟି ବୋଝେଇ ଟ୍ରକ ଜଙ୍ଗଲ ବିଭାଗ ହାତରୁ କିଏ ଛଡାଇ ନେଲା ବିଜେପି ତାର ଜବାବ ଦେଉ ବୋଲି କହିଛି ବିଜେଡି । ନିରୀହ ଶ୍ରମିକ ମାନଙ୍କୁ ନିଜ ସଙ୍ଗଠନରେ ସାମିଲ କରିବାକୁ ସେମାନଙ୍କୁ କିଏ ଧମକ ଦେଉଛି ତାର ମଧ୍ୟ ଜବାବ ମାଗିଛି । ବିଜେଡି ଡ଼ାକରାରେ ଖଣି ଅଞ୍ଚଳ ବନ୍ଦ ସଫଳ ହୋଇଥିବାରୁ କଳା ଦିବସ ଡାକରା ବି ସଫଳ ହେବ ବୋଲି ବିଜେପି ଜାଣି ସାରିଲାଣି । ଏହାକୁ ନେଇ ବିଜେପି ନେତାଙ୍କର ରକ୍ତଚାପ ବଢି ଯାଇଛି । ତେଣୁ ଜନ ସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ବିଜେପି ମିଛର ସହାରା ନେବା ଆରମ୍ଭ କରିଛି । ସଇତାନ ବେଦ ପାଠ କଲା ଭଳି ଆଚରଣ ଦେଖାଉଛି ସୁକିନ୍ଦା ବିଜେପି । ଜନ ମାନସରେ ରାଜ୍ୟର ଅନ୍ୟତମ ବରିଷ୍ଠ ରାଜନେତା ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କୁ ନିନ୍ଦିତ କରିବାକୁ ମନ ଗଢ଼ା କାହାଣୀ କହିବା ଆରମ୍ଭ କରିଛି । ଯାହାର କୌଣସି ପ୍ରମାଣ ନାହିଁ । ହୀନ ରାଜନୀତି କରିବାକୁ ଯାଇ ଜଣେ ବୟସ୍କ ରାଜନେତାଙ୍କୁ ସମ୍ମାନ ଜଣାଇବା ପରିବର୍ତ୍ତେ ତାଙ୍କ ପ୍ରତି କୁ-ଭାଷା ପ୍ରୟୋଗ କରୁଛି । ଯାହାକୁ ଯେତେ ନିନ୍ଦା କଲେ କମ ହେବ ବୋଲି ବିଜେଡି କହି ପ୍ରତିବାଦ କରିଛି । ସୁକିନ୍ଦାକୁ ଆଜି ସାରା ବିଶ୍ୱରେ ପରିଚୟ ଦେଇଥିବା ଓ ସୁକିନ୍ଦାର ଆର୍ଥିକ ସ୍ଥିତିକୁ ବଦଳାଇ ଦେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କୁତ୍ସାରଟନାକୁ ସୁକିନ୍ଦାବାସୀ ଆଦୌ ବରଦାସ୍ତ କରିବେ ନାହିଁ ବୋଲି ବିଜେଡି କହିବା ସହିତ ସୁକିନ୍ଦାବାସୀ ଆସନ୍ତା ୬ ତାରିଖ କଳା ଦିବସକୁ ସମ୍ପୂର୍ଣ୍ଣ ସଫଳ କରିବେ ଓ ସୁକିନ୍ଦାର ସମ୍ମାନକୁ କଳଙ୍କିତ କରିଥିବା ବିଜେପି ମୁହଁରେ କଳା ବୋଳି ସୁକିନ୍ଦାବାସୀ ଶାନ୍ତି ଓ ପ୍ରଗତିରେ ବିଶ୍ୱାସ କରନ୍ତି ବୋଲି ପ୍ରମାଣିତ କରିବେ ବୋଲି ବିଜେଡି ସାମ୍ବାଦିକ ସମ୍ମିନଳୀରେ ଦୃଢ଼ ଭାବେ କହିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପଞ୍ଚାୟତର ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।