ଓଡ଼ିଶା ଲିଡ୍ସ(ବ୍ୟୁରୋ): ସାରା ରାଜ୍ୟରେ ବିଜେଡି ନେତା ବିଜେଡି ଛାଡି ବିଜେପିରେ ସାମିଲ ହେବାର ଧାରା ଜାରି ରହିଛି । ସେହି କ୍ରମରେ ଯାଜପୁର ଜିଲ୍ଲାରେ ମଧ୍ୟ ଦଳାନ୍ତିକରଣ ଜାରି ରହିଛି । ବିଗତ ୨୪ ବର୍ଷ ଧରି ବିଜେଡି ସହିତ ସାମିଲ ଥିବା ବ୍ଲକ ଓ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତା ସରକାର ପରିବର୍ତ୍ତନ ପରେ ଅସ୍ଥିର ହୋଇ ପଡିଛନ୍ତି । ଦୀର୍ଘ ୨୪ ବର୍ଷ ଧରି କ୍ଷମତା ଆହରଣ କରିବା, ବିଭିନ୍ନ ପଦପଦବୀରେ ରହିବା ଓ ବିପୁଳ ଅର୍ଥ ରୋଜଗାର କରିବା ପରେ ସରକାର ବଦଳିବାର ମାତ୍ର ୧୭ ମାସ ପରେ ନେତା ଦଳ ଛାଡି ଦେଉଛନ୍ତି । ବିଜେପି ସରକାରକୁ ନେଇ ତଳ ସ୍ତରରେ ଅସନ୍ତୋଷ ରହିଥିଲା ବେଳେ ସାଧାରଣ ଲୋକେ ଓ କର୍ମୀଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଵିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ରହିଛି । ନେତା କିନ୍ତୁ ନବୀନଙ୍କ ଉପରୁ ଆସ୍ଥା ହରାଇଛନ୍ତି । ଫଳରେ ବିଜେପି ନେତାଙ୍କ ସହିତ ଯୋଗସୂତ୍ର ସ୍ଥାପନ କରି ସେମାନେ ବିଜେଡି ଛାଡି ବିଜେପିରେ ସାମିଲ ହେଉଛନ୍ତି । ନିଜେ ଦଳରେ ସାମିଲ ହେବା ସମୟରେ ନିଜର ପ୍ରଭାବ ପାଇଁ ବିଭିନ୍ନ କର୍ମୀଙ୍କୁ ମଧ୍ୟ ନିଜ ସହିତ ଆଣି ଦଳରେ ସାମିଲ କରୁଛନ୍ତି । ଏହି ସମୟରେ ତଳ ସ୍ତରର କର୍ମୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଉଥିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି ।
ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି ନେତା ଓ କର୍ମୀ ଦଳ ଛାଡୁଥିଲା ବେଳେ ସୁକିନ୍ଦାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ନିର୍ବାଚନ ପରଠାରୁ ବିଜେପି ମିଶ୍ରଣ ପର୍ବ ଆରମ୍ଭ କରିଥିଲା ବେଳେ ବିଜେଡି ସରକାର ସମୟରେ ନିନ୍ଦିତ ହୋଇଥିବା କିଛି ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତାଙ୍କୁ ବିଜେପି ଆଦରି ନେଇଥିଲା । ଏହା ପରେ କିଛି ସାଧାରଣ କର୍ମୀ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ । ହେଲେ ସେମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦିଆ ଯାଇ ଦଳରେ ସାମିଲ କରାଯାଉଥିବା ନେଇ ଅଭିଯୋଗ ମଧ୍ୟ ରହିଛି । କିଛି ଶ୍ରମିକଙ୍କୁ ଜୋର ଜବରଦସ୍ତ ଦଳରେ ସାମିଲ କରାଯାଉଥିଲା ବେଳେ ଦଳରେ ସାମିଲ ନ ହେଲେ ସେମାନଙ୍କୁ ଛଟେଇ କରାଯିବାକୁ ଧମକ ଦିଆ ଯାଉଥିବା ଅଭିଯୋଗ ହୋଇଛି । ଦଳରେ ସାମିଲ ହୋଇଥିଲେ ମଧ୍ୟ କିଛି ଶ୍ରମିକଙ୍କୁ ଛଟେଇ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି ।
ଏ ନେଇ ଦଳର ଯୁବ ନେତା ଦେବୀ ପ୍ରସାଦ ମହାନ୍ତି କହିଛନ୍ତି ସରକାରୀ ଦଳରେ ସାମିଲ ହୋଇ ନେତା ମାନେ କ୍ଷମତା ଆହରଣ କରିବାକୁ ବ୍ୟଗ୍ର ହୋଇ ପଡିଛନ୍ତି । ବିଜେଡି ସରକାର ସମୟରେ ଯେଉଁ ନେତା ମାନେ ସୁକିନ୍ଦାରେ ନିନ୍ଦିତ ହୋଇଥିଲେ ଓ ବିଜେଡି ପରାଜୟର କାରଣ ହୋଇଥିଲେ ସେମାନେ ପ୍ରଥମେ ବିଜେପିରେ ସାମିଲ ହୋଇଛନ୍ତି । ଏହା ସହିତ ବହୁ ନିନ୍ଦିତ ନେତାଙ୍କ ସହିତ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ସମ୍ପର୍କ ଛିନ୍ନ କରିଛନ୍ତି । ସେମାନେ ଏବେ ବିଜେପିରେ ସାମିଲ ହେଉଛନ୍ତି । ଏହା ଦ୍ୱାରା ଦକର କୌଣସି କ୍ଷତି ହେବ ନାହିଁ ବରଂ ଦଳ ଅଧିକ ସଙ୍ଗଠିତ ହେବ ଓ ଆଗକୁ ବଢିବ । ଆମ ପ୍ରିୟ ନେତା ନିର୍ବାଚନ ପରଠାରୁ ସାଧାରଣ ଲୋକଙ୍କ ସହିତ ଯୋଡି ହୋଇ ରହିଛନ୍ତି । ଯେଉଁ ମାନେ ଦଳର ନିଷ୍ଠାପର କର୍ମୀ ସେମାନେ ଦଳ ସହିତ ଯୋଡି ହୋଇ ରହିଛନ୍ତି ଓ ରହିବେ ମଧ୍ୟ ।




















