ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ପୁରୀ ସ୍ୱର୍ଗଦ୍ୱାରରର ପଞ୍ଚଭୂତରେ ବିଲୀନ ହୋଇଛନ୍ତି ରାଜ୍ୟର ବିଶିଷ୍ଠ ଗଣିତଜ୍ଞ, ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ଼ଃ ଗୋକୁଳାନନ୍ଦ ଦାସ । ଗତକାଲି ରାତି ପ୍ରାୟ ସାଢ଼େ ଆଠଟା ବେଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ହୋଇଥିଲା । ଆଜି ତାଙ୍କ ମୃତଦେହକୁ ପୁରୀ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସାନପୁଅ ପାର୍ଥସରଥୀ ଦାସ ମୁଖାଗ୍ନି ଦେଇଥିଲେ । ଯାଜପୁର ଜିଲ୍ଲା ବରୀ ନେଉଳାରେ ତାଙ୍କ ଜନ୍ମ ହୋଇଥିଲା ।
ସେ ୧୯୯୮ ରୁ ୨୦୦୧ ମସିହା ପର୍ଯ୍ୟନ୍ତ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ଶିକ୍ଷକତା କରିବା ସମୟରେ କାଲିଫର୍ଣ୍ଣିଆ, ଯୁକ୍ତରାଷ୍ଟ୍ର ଆମେରିକା ଓ ଲଣ୍ଡନର ବିଭିନ୍ନ ବିଶ୍ଵବିଦ୍ୟାକୟରେ ଭିଜିଟିଙ୍ଗ ପଫେସର ଭାବେ କାର୍ଯ୍ୟ କରିଥିଲେ । ସାରା ବିଶ୍ୱରେ ତାଙ୍କର ଦୁଇ ଶହରୁ ଉର୍ଦ୍ଧ୍ଵ ଗବେଷଣାତ୍ମକ ସନ୍ଦର୍ଭ ଓ ପ୍ରବନ୍ଧ ପ୍ରକାଶିତ ହୋଇଛି । ସେ ୧୮ଟି ପୁସ୍ତକ ରଚନା କରିଛନ୍ତି । ନିଜ ସମୟରେ ସେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି । ଜଣେ ଅତ୍ୟନ୍ତ ମେଳାପୀ ବ୍ୟକ୍ତି ଭାବେ ସେ ସମସ୍ତଙ୍କର ପ୍ରିୟ ଥିଲେ । ନିଜ ଜନ୍ମମାଟି ବରୀ ପ୍ରତି ତାଙ୍କର ଖୁବ ଆନ୍ତରିକତା ଥିଲା । ତାଙ୍କ ଦେହାନ୍ତରେ ବରୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।




















