ଓଡ଼ିଶା ଲିଡ୍ସ(ବ୍ୟୁରୋ): ସୁକିନ୍ଦାକୁ କୁହାଯାଏ ସୁନାର ସୁକିନ୍ଦା । ରତ୍ନଗର୍ଭା ସୁକିନ୍ଦା କେଵଳ ରାଜ୍ୟ ନୁହେଁ ଦେଶର ଅନ୍ୟତମ ଅର୍ଥନୈତିକ କେନ୍ଦ୍ରସ୍ଥଳ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସୁକିନ୍ଦାକୁ ନେଇ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର କରିଛନ୍ତି । ବିଜୁ ବାବୁଙ୍କ ସ୍ୱପ୍ନ ଆଜି ସାର୍ଥକ କରିବାରେ ସୁକିନ୍ଦାବାସୀଙ୍କ ଅବଦାନର ପଟାନ୍ତର ନାହିଁ । ସୁନାର ସୁକିନ୍ଦା, ଶାନ୍ତି ଓ ଭାଇଚାରାର ସୁକିନ୍ଦା ଆଜି ହିଂସା ଓ ଆତଙ୍କର ବାରୁଦ ଗଦା ହୋଇ ସାରିଛି । ଦଶ ମାସର ବିଜେପି ସରକାର ଓ ସ୍ଥାନୀୟ ନେତା ଓ ତାଙ୍କ ସମର୍ଥକ ଏବେ ଆତଙ୍କରାଜ ଚଳାଇଛନ୍ତି । ସୁକିନ୍ଦାବାସୀ ଏବେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ଆତଙ୍କରାଜ ଚଳାଇଥିବା ଅସାମାଜିକ ଲୋକମାନେ ମହିଳାଙ୍କ ଉପରେ ମଧ୍ୟ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଅଭିଯୋଗ କଲେ ପୋଲିସ ନିରବ ଦ୍ରଷ୍ଟା ସାଜୁଛି । ଯାହାର ପ୍ରତିବାଦରେ ଆଜି ଖଣି ଅଞ୍ଚଳରେ ବନ୍ଦ ପାଳନ କରାଯାଇଥିଲା । ଏହି ବନ୍ଦକୁ ଜନସାଧାରଣ ଅଭୂତପୂର୍ବ ସମର୍ଥନ ଦେଇ ସଫଳ କରିଥିବା ବେଳେ ସୁକିନ୍ଦାବାସୀ ଆତଙ୍କ ରାଜ, ଗୁଣ୍ଡାରାଜକୁ ବିରୋଧ କରୁଥିବାର ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ସୁକିନ୍ଦାବାସୀ ଶାନ୍ତି ଓ ପ୍ରଗତି ଚାହାନ୍ତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁକିନ୍ଦା ଗସ୍ତ କରିଥିଲା ବେଳେ ବନ୍ଦ ପାଳନ କରି ମୁଖ୍ୟମନ୍ତ୍ରୀ ନିରବ ଦ୍ରଷ୍ଟା ନ ହୋଇ ଆତଙ୍କ ସୃଷ୍ଟି କରୁଥିବା, ନିରୀହ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ଅସାମାଜିକ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ମଧ୍ୟ ଚେତାଇ ଦେଇଛନ୍ତି ସୁକିନ୍ଦାବାସୀ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ଏହି ଅବସରରେ ବନ୍ଦ ପାଳନକୁ ସଫଳ କରିଥିବାରୁ ଖଣି ଅଞ୍ଚଳର ସମସ୍ତ ଜନ ସାଧାରଣଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଇଂ ଘଡାଇ ।
