ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିରେ ଦ୍ରୁତ ଅବନତି ଘଟୁଛି । ଆଇନ କାନୁନ ବ୍ୟବସ୍ଥାକୁ ଅପରାଧି ଭ୍ରୁକ୍ଷେପ କରୁ ନାହାନ୍ତି । ଯାହାର ନଜିର ଦୈନିକ ଦେଖିବାକୁ ମିଳୁଛି । ଅପରାଧି ବେଲଗାମ ହୋଇଛନ୍ତି । ବିଶେଷ କରି ପୋଲିସ ବିଧି ବ୍ୟବସ୍ଥା ଉପରେ ଅପରାଧୀଙ୍କର ଆଦୌ ଭୟ ରହୁନାହିଁ । ଅପରାଧି ସଂଘବଦ୍ଧ ଭାବେ ପୋଲିସ ଉପରେ ଅତର୍କିତ ଆକ୍ରମଣ କରିବା, ପୋଲିସ ଗାଡିକୁ ଭଙ୍ଗାରୁଜା କରିବା ସହିତ ପୋଲିସକୁ ମାଡ଼ମାରି ରକ୍ତାକ୍ତ କରୁଛନ୍ତି । ଦୁଇ ଦିନରେ ଦୁଇଟି ଘଟଣା ଅପରାଧି ପୋଲିସ ଉପରେ କିଭଳି ଭାରି ପଡୁଛନ୍ତି ତାକୁ ପ୍ରମାଣିତ କରୁଛି । ଗତକାଲି ଯାଜପୁର ଜିଲ୍ଲା କୋରେଇ ଥାନା ଅଧିନରେ ଏକ ଘଟଣା ଘଟିଥିଲା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ଭରତପୁର ଅଞ୍ଚଳରେ ଘଟିଛି ଅନ୍ୟଏକ ଘଟଣା । ଉଭୟ ଘଟଣାରେ ପୋଲିସକୁ ଆକ୍ରମଣ କରାଯାଇଥିଲା ବେଳେ ପୋଲିସ ଗାଡି ଭଙ୍ଗାରୁଜା ହୋଇଛି । ଗତକାଲି କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ ଦୁଇଜଣ ବାଇକ ଲୁଟେରାକୁ ଧରିବାକୁ କୋରେଇ ଥାନା ଅଧିନ ଏକ ପଞ୍ଚାୟତର ପୂର୍ଵକୋଟ ତେଲେଙ୍ଗାବସ୍ତିକୁ ଯାଇଥିଲା ବେଳେ ଏହି ଘଟଣା ଘଟିଥିଲା । ଦୁଇ ବାଇକ ଲୁଟେରାଙ୍କୁ ଥାନା ଅଧିକାରୀ ଧରିଥିଲା ବେଳେ ବସ୍ତିର ଲୋକମାନେ ସଂଘବଦ୍ଧ ଭାବେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କୁ ଲହୁଲୁହାଣ କରିଥିଲା ବେଳେ ଅନ୍ୟ କର୍ମଚାରୀଙ୍କୁ ବି ଆକ୍ରମଣ କରି ଲୁଟେରାଙ୍କୁ ପୋଲିସ ହାତରୁ ଛଡାଇ ନେଇଛନ୍ତି। ଏହା ସହିତ ଥାନା ଗାଡିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ଅପରାଧୀଙ୍କ ଆଡ୍ଡା ସ୍ଥଳ ଏହି ପଞ୍ଚାୟତର ବାସିନ୍ଦା ଆଇନ କାନୁନ କି କିଭଳି ସମ୍ମାନ ଦେଉଛନ୍ତି ଓ ମାନୁଛନ୍ତି ଏହା ତାହାର ନମୁନା ମାତ୍ର । ଅନ୍ୟପକ୍ଷରେ ଆଜି ଖୋର୍ଦ୍ଧା ଜିଲ୍ଲା ଭରତପୁର ଅଞ୍ଚଳରେ ଜଣେ ଆକ୍ରମଣକାରୀକୁ ଗିରଫ କରିବାକୁ ପୋଲିସ ଯାଇଥିଲା ବେଳେ ଗ୍ରାମବାସୀ ପୋଲିସ ଉପରେ ସଂଘବଦ୍ଧ ଆକ୍ରମଣ କରି ଜଣେ ମହିଳା ଏଏସଆଇଙ୍କୁ ଆହତ କରିବା ସହିତ ପୋଲିସ ଡ୍ରାଇଭରଙ୍କୁ ମଧ୍ୟ ଆକ୍ରମଣ କରି ଗାଡି ଭଙ୍ଗାରୁଜା କରିଛନ୍ତି । ଉଭୟ ଘଟଣାରେ ପୋଲିସ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି । ହେଲେ ଚିନ୍ତାର ବିଷୟ ହେଉଛି ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୋଲିସ ଗଲାବେଳେ ଗ୍ରାମବାସୀ ସଂଘବଦ୍ଧ ଆକ୍ରମଣ କରି ପୋଲିସ ହାତରୁ ଅଭିଯୁକ୍ତଙ୍କୁ ଛଡାଇ ନେବାରେ ସକ୍ଷମ ହେଉଛନ୍ତି । ଏହା ପରେ ପୋଲିସ କଣ ପଦକ୍ଷେପ ନେଉଛି ଓ ନେବ ଏହାତ ଭିନ୍ନ କଥା ହେଲେ ପୋଲିସ ଅପରାଧିଙ୍କ ଆକ୍ରୋଶର ଶିକାର ହେବା ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି । ଅନ୍ୟଏକ ଦିଗକୁ ଦେଖିଲେ ରାଜନୈତିକ ଚାପ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ସମୟରେ କୋହଳ କରିଦେଉଛି । ଫଳରେ ଅପରାଧିଙ୍କର ପୋଲିସ ଉପରେ ଭୟ ରହୁନାହିଁ । ରାଜନୈତିକ ଚାପରେ ପୋଲିସ ଚାପି ହୋଇଯାଉଥିଲା ବେଳେ ଅପରାଧି ଏହାକୁ ନେଇ ବିଭିନ୍ନ ସମୟରେ ପୋଲିସ ଉପରେ ଭାରି ପଡୁଛନ୍ତି । ରାଜନୈତିକ ଚାପରେ ଚାପି ନ ହୋଇ ପୋଲିସ ନିରପେକ୍ଷ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗକୁ ଏହି ସ୍ଥିତି ଅଧିକ ଜଟିଳ ହେବ ଏଥିରେ ସନ୍ଦେହ ନାହିଁ ।




















