ଓଡ଼ିଶା ଲିଡ୍ସ(ବ୍ୟୁରୋ): ନିଜ ସୁଲଳିତ କଣ୍ଠ ସ୍ୱରରେ କୋଟି କୋଟି ସ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରୁଥିବା କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ମାତ୍ର ୩୫ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି । ପ୍ରଥମେ କଟକ ପରେ ଭୁବନେଶ୍ୱର ଏମଏସରେ ଚିକିତ୍ସିତ ହେଉଥିଲା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଦେହାନ୍ତ ରାଜ୍ୟବାସୀଙ୍କୁ ମର୍ମାହତ କରିଥିଲା । ତାଙ୍କ ମୃତ୍ୟୁ ପରେ ତାଙ୍କ ମା ହ୍ୟୁମାନଙ୍କ ଏହି ଅବସ୍ଥା ପାଇଁ ସାଙ୍ଗସାଥି ଓ ଜଣେ ଯୁବତୀଙ୍କ ଉପରେ ଦୋଷ ଦେଇଥିଲେ । ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ବିଶେଷ ପୂର୍ବରୁ ନିଜ ସାନ ପୁଅ ଓ ସ୍ୱାମୀଙ୍କୁ ହରାଇଥିବା ହ୍ୟୁମାନଙ୍କ ମାଙ୍କୁ ଦୁର୍ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା । ଯାହା ରାଜ୍ୟବାସୀଙ୍କୁ ବେଶ ମର୍ମାହତ କରିବା ସହିତ ଚକିତ ମଧ୍ୟ କରିଥିଲା ।
ମାଙ୍କ ଅଭିଯୋଗ ପରେ ହ୍ୟୁମାନଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ରାଜ୍ୟବାସୀ ସନ୍ଦେହ କରୁଛନ୍ତି । ତାଙ୍କ ଶରୀର ଅସୁସ୍ଥ ହେବା ପଛରେ କି କାରଣ ଥିଲା । ଅସୁସ୍ଥ ଶରୀରରେ ସେ କିଭଳି ଷ୍ଟେଜ ପ୍ରୋଗ୍ରାମ କରୁଥିଲେ । ଏଥିପାଇଁ ତାଙ୍କୁ କିଏ ବାଧ୍ୟ କରୁଥିଲା ଏଭଳି ଅନେକ ପ୍ରଶ୍ନ ଏବେ ଅସମାହିତ ହୋଇ ରହିଛି । ରାଜ୍ୟ ସରକାର ନିଜ ତରଫରୁ ଏହାର ତଦନ୍ତ କରି ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।




















