ଓଡ଼ିଶା ଲିଡ୍ସ(ବ୍ୟୁରୋ): ଯାଜପୁର ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି(ଡିଏମଏଫ) ଫଣ୍ଡ ଅର୍ଥର ୭୦% ଅର୍ଥ ପଡୋଶୀ ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ଖର୍ଚ୍ଚ ହେଉଛି । ଯାଜପୁର ଜିଲ୍ଲା ଖଣିରୁ ଆଦାୟ ହେଉଥିବା ଅର୍ଥର ୩୦% ରହୁଛି ଯାଜପୁର ଜିଲ୍ଲାରେ । ସେହି ଅର୍ଥ ମଧ୍ୟ ଉଚିତ ଢଙ୍ଗରେ ଖର୍ଚ୍ଚ ହୋଇ ପାରୁନାହିଁ । ଜିଲ୍ଲାରୁ ଆଦାୟ ହେଉଥିବା ଅର୍ଥ ଜିଲ୍ଲା ବାହାରକୁ ଚାଲି ଯାଉଥିଲା ବେଳେ ଦଳ ମତ ନିର୍ବିଶେଷରେ ଯେଉଁଠି ପ୍ରତିବାଦର ସ୍ବର ଉଠିବା କଥା ସେଠାରେ କେବଳ ସୁକିନ୍ଦାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ(ଡ୍ୟାନି) ପ୍ରତିବାଦ କରୁଥିଲା ବେଳେ ଅନ୍ୟମାନେ ଆଶ୍ଚର୍ଯ୍ୟ ଜନକ ଭାବେ ନିରବ ରହୁଛନ୍ତି । ଖୋଦ ସୁକିନ୍ଦାର ବର୍ତ୍ତମାନର ବିଧାୟକ ତଥା ସମବାୟ ମନ୍ତ୍ରୀ ନିଜ ଅଞ୍ଚଳର ସ୍ୱାର୍ଥକୁ ଦୃଷ୍ଟି ନଦେଇ ନିରବ ରହିବା କେବଳ ସୁକିନ୍ଦାର ଜନସାଧାରଣ ନୁହେଁ ଜିଲ୍ଲାବାସୀଙ୍କୁ ମଧ୍ୟ ଚକିତ କରୁଛି । ଜିଲ୍ଲାର ଏକମାତ୍ର ମନ୍ତ୍ରୀ ହୋଇ ଏହାର ପ୍ରତିରୋଧ କାହିଁକି କରୁ ନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଡିଏମଏଫ ଟ୍ରଷ୍ଟ ବୋର୍ଡ଼ରେ ଖଣି ପ୍ରଭାବିତ ପଞ୍ଚାୟତର ଲୋକ ପ୍ରତିନିଧି ମାନଙ୍କୁ ସ୍ଥାନ ଦିଆ ଯାଇନାହିଁ । ଫଳରେ ପ୍ରଭାବିତ ଅଞ୍ଚଳର ସମସ୍ୟା ଟ୍ରଷ୍ଟ ବୋର୍ଡରେ ଉଚିତ ଢଙ୍ଗରେ ଆଲୋଚନା ହୋଇ ପାରୁନାହିଁ । ଏହା ସହିତ ବୈଠକରେ ଜିଲ୍ଲା ବାହାରକୁ ଯାଉଥିବା ଅର୍ଥ ବିରୁଦ୍ଧରେ ପ୍ରତିବାଦ କରିବାକୁ ମଧ୍ୟ ସେମାନେ ସୁଯୋଗ ପାଉ ନାହାଁନ୍ତି । ଜିଲ୍ଲା ଡିଏମଏଫ ଟ୍ରଷ୍ଟ ବୋର୍ଡର ମୁଖ୍ୟ ହୋଉଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳ ମଧ୍ୟ ଏ ନେଇ ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି । ଖଣି ପ୍ରଭାବିତ ଅଞ୍ଚଳବାସୀ ଧୂଳି ଖାଇ କିଡ଼ନୀ, କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡିତ ହୋଉଛନ୍ତି । ହେଲେ ସେମାନଙ୍କ ସମସ୍ୟା ସମାଧାନ ନେଇ କୌଣସି ଠୋସ ପଦକ୍ଷେପ ନିଆଯାଉନାହିଁ । ସୁକିନ୍ଦାବାସୀଙ୍କ ବୃହତ ସ୍ୱାର୍ଥ ପ୍ରତି ଜିଲ୍ଲା ପ୍ରଶାସନ ସହିତ ଜିଲ୍ଲାର ପ୍ରଭାବଶାଳୀ ନେତୃମଣ୍ଡଳୀ ଦୃଷ୍ଟି ଦେବା ଜରୁରୀ ହୋଇଥିଲା ବେଳେ ଜିଲ୍ଲାର ନେତୃମଣ୍ଡଳୀ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ କେବେ ଚାପ ପ୍ରୟୋଗ କରି ଜିଲ୍ଲାରୁ ପଡୋଶୀ ଜିଲ୍ଲାକୁ ଚାଲିଯାଉଥିବା ଅର୍ଥକୁ କେବେ ଜିଲ୍ଲାରେ ଖର୍ଚ୍ଚ କରି ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନ ପ୍ରତି ଦୃଷ୍ଟି ଦେବେ ତାକୁ ଜିଲ୍ଲାବାସୀଙ୍କ ଅପେକ୍ଷା ।ଜିଲ୍ଲାପାଳ ଜିଲ୍ଲା ସ୍ୱାର୍ଥ ଓ ସୁକିନ୍ଦାବାସୀଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇଛି ।




















