ଓଡ଼ିଶା ଲିଡ୍ସ(ଯାଜପୁର/ସୁକିନ୍ଦା): ସୁକିନ୍ଦା ଏବେ ଲୁଟିଆଙ୍କ ଭୂସ୍ବର୍ଗ ପାଲଟି ଯାଇଛି । ବାଲି, ମାଟି, ନାଲିମାଟି ଠାରୁ ନେଇ କ୍ରୋମାଇଟ ପର୍ଯ୍ୟନ୍ତ ଲୁଟ ହେଉଛି । ଏହାକୁ ରୋକିବା ଓ ଲୁଟିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପ୍ରଶାସନ ଚୁପ ବସିବା ଲୁଟିଆଙ୍କୁ ଅଧିକ ଉତ୍ସାହିତ କରୁଛି । ସରକାର ବଦଳିବା ପରେ ସୁକିନ୍ଦାରେ ଲୁଟିଆ ଯୋଜନା ବଦ୍ଧ ଭାବେ ଲୁଟ କରୁଛନ୍ତି । ବିଭିନ୍ନ ନଦୀରୁ ଶହ ଶହ ଟ୍ରିପ ବାଲି ଲୁଟ ହେବା ସାଧାରଣ କଥା ହୋଇଥିଲା ବେଳେ ଏବେ ନାଲିମାଟି ଓ ମାଟି ମଧ୍ୟ ଲୁଟ ହେଉଛି । ମାଫିଆ ବାଲି, ମାଟି, ନାଲିମାଟିକୁ ଲୁଟ କରି ଚାଲିଛନ୍ତି । ଏହି ନିର୍ବାଚନ ମଣ୍ଡଳୀର ଦାନଗଦି ଓ ସୁକିନ୍ଦା ବ୍ଲକରେ ଏବେ ମାଫିଆ ରାଜ ଚାଲିଥିଲା ବେଳେ ତହସିଲ ପ୍ରଶାସନ, ପୋଲିସ ପ୍ରଶାସନ ସହିତ ଜଙ୍ଗଲ ବିଭାଗ ମଧ୍ୟ ସବୁ ଦେଖି ନିରବ ବସିଛି । କେବଳ ବାଲି, ମାଟି କି ନାଲି ମାଟି ନୁହେଁ ବିଭିନ୍ନ ସ୍ଥାନରୁ ରାତିରେ କ୍ରୋମାଇଟ ମଧ୍ୟ ଲୁଟ ହେଉଛି । ରାତିରେ ଜେସିବି ଲଗାଇ କ୍ରୋମାଇଟ ଲୁଟ ହେଉଥିବା ଖବର କିଛି ଦିନ ତଳେ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ଜଙ୍ଗଲ ବିଭାଗକୁ ବନ୍ଧୁକ ଦେଖାଇ ମାଫିଆ ଧମକ ଦେଇଥିଲେ ।
ଯୋଜନା ବଦ୍ଧ ଭାବେ ଏହି ଲୁଟ ଚାଲୁଥିଲା ବେଳେ ପ୍ରଶାସନ କାହା ଚାପରେ ଚୁପ ବସିଛି ତାହା ଏବେ ସୁକିନ୍ଦାରେ ଚର୍ଚ୍ଚାର ବିଷୟ ହୋଇଛି । କାହାର ଅଦୃଶ୍ୟ ଚାପ ଆଗରେ ମୁଣ୍ଡ ନୁଆଁଇ ପ୍ରଶାସନ ହାତ ବାନ୍ଧି ବସିଛି ତାହା ଏବେ ସୁକିନ୍ଦାରେ ଆଲୋଚ୍ୟ ବିଷୟ ହୋଇଛି । ଗୋଟିଏ ପଟେ ମାଫିଆ ମାଲେମାଲ ହେଉଥିଲା ବେଳେ ସରକାର ରାଜସ୍ୱ ହରାଇ ଚାଲିଛନ୍ତି । ଏ ନେଇ ଜିଲ୍ଲାପାଳ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।




















