ଓଡ଼ିଶା ଲିଡ୍ସ(ଯାଜପୁର): ସ୍ୱାଧୀନତା ସଂଗ୍ରାମର ପୀଠ ସ୍ଥଳ ବରୀ । ମହାନ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ ବରୀବାସୀ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଦେଶ ସ୍ଵାଧୀନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗୋପବନ୍ଧୁ ଚୌଧୁରୀ ବରୀରେ ଅବସ୍ଥାନ କରିବା ବେଳେ ବହୁ ରଚନାତ୍ମକ କାର୍ଯ୍ୟ କରିଥିଲେ । ବନ୍ୟା ପ୍ରପୀଡ଼ିତ ବରୀ ଅଞ୍ଚଳର ଜନ ସାଧାରଣ ଚାଷ ଉପରେ ନିର୍ଭର କରୁଥିବାରୁ ହାଟ ସ୍ଥାପନ କରିଥିଲେ ସ୍ୱର୍ଗତ ଗୋପବନ୍ଧୁ ଚୌଧୁରୀ । ଏହା ପ୍ରଥମରୁ ଏକ ନିଷ୍କର ହାଟ ଭାବେ ପ୍ରତିଷ୍ଠା ହୋଇଥିଲା । ବରୀ ମାଉଣ୍ଡରେ ଏହି ହାଟ ସପ୍ତାହର ଦୁଇଦିନ ସୋମବାର ଓ ଗୁରୁବାର ଦିନ ବସେ । ଏହି ହାଟ ବରୀ ବ୍ଳକର ସର୍ବ ବୃହତ ହାଟ । ବରୀ ମାଉଣ୍ଡର ଯେଉଁ ସ୍ଥାନରେ ହାଟ ହେଉଥିଲା ସେହି ସ୍ଥାନରେ ଏବେ ତହସିଲ କାର୍ଯ୍ୟାଳୟ ସ୍ଥାପିତ ହୋଇଛି । ଫଳରେ ରାସ୍ତାର ଉଭୟ କଡ଼ରେ ଏହି ହାଟ ବସୁଥିଲା । ଟ୍ରାଫିକ ସମସ୍ୟା ଯୋଗୁ ଏହି ହାଟକୁ ମୁଖ୍ୟ ବଜାରର ତଳ ଆଡ଼କୁ ସ୍ଥାନାନ୍ତର କରାଯାଇଛି । ହେଲେ ହାଟ ଦୁଇଦିନ ସେଠାରେ ମଧ୍ୟ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ବରୀ ବ୍ଳକର ଏହି ସର୍ବ ପୁରାତନ ଓ ବିଶାଳ ହାଟକୁ ସ୍ଥାୟୀ ଭାବେ ନିର୍ମାଣ କରିବାକୁ ବିଭିନ୍ନ ସମୟରେ ଦାବି ହୋଇଛି । ଏ ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଛି, ହେଲେ ସ୍ଥିତି ଯଥା ପୂର୍ବ ତଥା ପର ହୋଇ ରହିଛି । ବିଭିନ୍ନ ନେତା ନେତ୍ରୀ ବରୀର ପ୍ରତିନିଧିତ୍ୱ କରିଛନ୍ତି । ହେଲେ ସ୍ଥାୟୀ ହାଟ ନିର୍ମାଣ ପାଇଁ କେହି ଆନ୍ତରିକତା ଦେଖାଇ ନାହାନ୍ତି । ଦୀର୍ଘ ୨୪ ବର୍ଷର ବିଜେଡି ସରକାର ପରେ ବିଜେପି ସରକାର ଆସିଛି । ନୂତନ ସରକାର ମହାନ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ହାଟକୁ ସ୍ଥାୟୀ ଭାବେ ନିର୍ମାଣ କରି ଗୋପବନ୍ଧୁ ଚୌଧୁରୀ ନିଷ୍କର ହାଟ ନାମରେ ନାମିତ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।
