ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି କାଲିର ସ୍ୱାର୍ଥପର ଦୁନିଆଁରେ ବିପଦରେ ପଡିଥିବା ଲୋକଟିକୁ ଦେଖି ଲୋକ ମୁହଁ ଆଡେଇ ଚାଲି ଯାଉଛନ୍ତି । ରାଜନୀତି କ୍ଷେତ୍ରରେ ଯଦି କିଏ ଭୋଟ ନଦେଇଛି କିମ୍ବା ସେହି ବ୍ୟକ୍ତି ତାଙ୍କ ଦଳର ନୁହଁନ୍ତି ତେବେ ତା ନିକଟରେ ଛିଡା ହେବା ନେତାଙ୍କ ପାଇଁ ସମ୍ଭବ ନୁହେଁ । ହେଲେ ଏ ସବୁର ବ୍ୟତିକ୍ରମ କିନ୍ତୁ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ପାଖରେ ଦେଖିବାକୁ ମିଳେ । ଦଳୀୟ ଭାବନାରେ କିଏ ତାଙ୍କୁ ଆକ୍ଷେପ କଲେ ମଧ୍ୟ ତାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ନିଜ ଅଞ୍ଚଳ ପ୍ରତି ନିଜ ଲୋକଙ୍କ ପ୍ରତି ତାଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱବୋଧକୁ ସବୁ ସମୟରେ ପ୍ରାଧାନ୍ୟ ଦେବା ତାଙ୍କ ପ୍ରାଥମିକତା ।
ଗତ ନିର୍ବାଚନରେ ସେ ପରାଜିତ ହୋଇଛନ୍ତି । ହେଲେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱବୋଧରୁ ଟିକିଏବି ପଛଘୁଞ୍ଚା ଦେଇ ନାହାନ୍ତି । ସବୁ ସମୟରେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ କରି ଚାଲିଛନ୍ତି ନିଜ ଅଞ୍ଚଳ ପାଇଁ । ନିଜର କର୍ମଭୂମିରେ ସବୁ ସମୟରେ ଘୁରି ବୁଲୁଛନ୍ତି । ଲୋକଙ୍କ ସୁଖରେ ଛିଡା ହେଉଛନ୍ତି ଦୁଃଖରେ ବି ଛିଡା ହୋଇ “ମୁଁ ତୁମ ସାଥିରେ ଅଛି” ବୋଲି ଭରସା ବିଶ୍ୱାସ ଦେଉଛନ୍ତି ।
ନିକଟରେ ଜିନ୍ଦଲ କାରଖାନା ସମ୍ମୁଖରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା ବେଳେ ଜଣେ ଆହତ ହୋଇଥିଲେ । ଘଟଣାକୁ ନେଇ ପ୍ରାୟ ଦଶଘଣ୍ଟା ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣା ସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବି ସହିତ ମୃତଦେହ କାହିଁକି ପଡିରହିଛି, କାହିଁକି ଆମ୍ବୁଲାନ୍ସ ଆସିଲା ନାହିଁ ଆଦି ବିଭିନ୍ନ ପ୍ରଶ୍ନ ପୋଲିସ ଓ ପ୍ରଶାସନକୁ ପଚାରିଥିଲେ ଇଂ ଘଡାଇ । ପ୍ରାୟ ଆଠ ଘଣ୍ଟା ଧରି ମୃତଙ୍କ ଶବ ପାଖରେ ତାଙ୍କ ପରିବାର ସହିତ ବର୍ଷାରେ ଭିଜିଥିଲେ । ଜଣେ ଲୋକପ୍ରତିନିଧି ଭାବେ ନିଜ ଦାୟିତ୍ୱ ନିଭାଉଥିଲା ବେଳେ ପୋଲିସ ତାଙ୍କ ନାମରେ ମାମଲା ରୁଜୁ କରିବା ସହିତ ଅନ୍ୟ ୨୦ ଜଣଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଥିଲା । ଏହି ଘଟଣା ସାରା ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା ।
ଏଇଠୁ ନିଜ ଦାୟିତ୍ୱ ସାରି ଦେଇ ନଥିଲେ ଇଂ ଘଡାଇ । ମୃତ ଯୁବକଙ୍କ ଏକାଦଶାହରେ ତାଙ୍କ ପରିବାର ନିକଟରେ ପହଞ୍ଚି ଥିଲେ । ତାଙ୍କ ପରିବାରକୁ ସାନ୍ତ୍ୱନା ଦେଇ ମୁଁ ତୁମ ସହିତ ଅଛି ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏହି ସମୟରେ ମୃତ ଯୁବକଙ୍କ ଦୁଇ ପିଲାଙ୍କୁ କୋଳେଇ ନେଉଥିବାର ଦୃଶ୍ୟ ଉପସ୍ଥିତ ଲୋକଙ୍କ ଆଖିକୁ ବି ଓଦା କରି ଦେଇଥିଲା ।