ଓଡ଼ିଶା ଲିଡ୍ସ(ବ୍ୟୁରୋ): ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନଖୋଲି କୋରାପୁଟ କଫିର ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କୋରାପୁଟର କଫି, ରାଜ୍ୟରୁ ଯାଇ ଦେଶ ବିଦେଶରେ ନାଁ କରିଛି। ଲୋକଙ୍କ ମନ ଜିଣି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ତିଆରି କରି ପାରିଛି । ଖୁବ କମ୍ ସମୟରେ ବିଶ୍ବ ବଜାରରେ ପ୍ରବେଶ କରିଛି କୋରାପୁଟର ଉତ୍କର୍ଷ କଫି। ବ୍ରାଣ୍ଡ ଅଫ୍ କୋରାପୁଟ, ପ୍ରାଇଡ୍ ଅଫ୍ ଓଡ଼ିଶା । ସ୍ବାଦ ଯେମିତି ବଢ଼ିଆ, ବାସ୍ନା ବି ସେମିତି କଡକା ।
ପ୍ରଧାନମନ୍ତ୍ରୀ କହିଛନ୍ତି ଆଦିବାସୀ ଇଲାକାରୁ ବିଶ୍ବ ଦରବାରରେ ଆଦୃତି ଲାଭ କରିଥିବା କୋରାପୁଟ କଫି କେବଳ ସ୍ବାଦିଷ୍ଟ ନୁହେଁ, ସ୍ଥାନୀୟ ଲୋକଙ୍କର ଜୀବନଧାରାରେ ମଧ୍ୟ ପରିବର୍ତ୍ତନ ଆଣିଛି । ମନ୍ କି ବାତରେ ଓଡ଼ିଶାର ଗୌରବ କୋରାପୁଟିଆଙ୍କ କଫିର ଖୁବ ପ୍ରଶଂସା କରିଛନ୍ତି ମୋଦି।
ଓଡ଼ିଶାର ଅନେକ ଲୋକ କୋରାପୁଟ କଫି ସମ୍ପର୍କରେ ସେମାନଙ୍କର ଭାବନା ବାଣ୍ଟିଥିଲେ। ଏହାର ସ୍ୱାଦ ଭାରି ବଢିଆ। ଲୋକଙ୍କୁ କଫି ଚାଷ ବେଶ ଲାଭ ପ୍ରଦାନ କରୁଛି । ଏମିତି ବି ଲୋକ ଅଛନ୍ତି ଯେଉଁମାନେ କର୍ପୋରେଟ ଚାକିରି ଛାଡ଼ି କଫି ଚାଷରେ ମନ ବଳାଇଛନ୍ତି। ନିଜର ନିଷ୍ଠାପର ଉଦ୍ୟମ ଦ୍ୱାରା କଫି ଚାଷରେ ସଫଳତା ପାଇଛନ୍ତି ଓ ଆଗକୁ ବଢୁଛନ୍ତି। କଫି ଚାଷରେ ମହିଳାଙ୍କ ସହଭାଗିତାକୁ ତାରିଫ କରି ମୋଦି କହିଛନ୍ତି, ମହିଳା ଜୀବନରେ କଫି ଚାଷ ବ୍ୟାପକ ପରିବର୍ତ୍ତନ ଆଣିଛି । ସେମାନଙ୍କୁ ସମ୍ମାନ ଓ ସମୃଦ୍ଧି ପ୍ରଦାନ କରୁଛି କଫି ଚାଷ। ସ୍ବାଦିଷ୍ଟ କୋରାପୁଟର ସ୍ୱାଦିଷ୍ଟ କଫି ଓଡ଼ିଶାର ଗୌରବ ବଢ଼ାଉଛି ।
ରାଜ୍ୟର ବଡ଼ ବଡ଼ ସହରରେ ଖୋଲିଛି ଆଉଟଲେଟ୍, ଅନଲାଇନ୍ ବଜାରରେ ବି ଉପଲବ୍ଧ ହେଉଛି କୋରାପୁଟ କଫି ।ଏହାର ବାସ୍ନା ହିଁ ସ୍ବତନ୍ତ୍ରତା। ପ୍ରଧାନମନ୍ତ୍ରୀଙ୍କ ମୁହଁରୁ କୋରାପୁଟ କଫିର ପ୍ରଶଂସା ଶୁଣି କଫି ଚାଷୀଙ୍କ ଭିତରେ ଉତ୍ସାହ ବେଶ ବଢିଛି। କଫି ଚାଷକୁ ସୁହାଉଛି କୋରାପୁଟର ଥଣ୍ଡା ଜଳବାୟୁ ଓ ପ୍ରଚୁର ବର୍ଷା।




















