ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଟାଉନ ଲଳିତେଶ୍ୱର ନଗର ନିକଟରେ ଥିବା ଏକ ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ଓମ ପ୍ରକାଶ ରାଉତ । ତାଙ୍କ ବୟସ ୧୭ ବର୍ଷ । ସେ ଯାଜପୁର ସଦର ଥାନା ଅଧିନ ଦୋଗଡା ଗ୍ରାମର ପ୍ରଶାନ୍ତ ରାଉତଙ୍କ ପୁଅ । ଛାତ୍ର ଜଣକ ଜଣେ ଦିବ୍ୟାଙ୍ଗ ବୋଲି ଜଣାଯାଇଛି । ଲିସିୟମ ନାମକ ଏହି ଆବାସିକ ବିଦ୍ୟାଳୟରେ ରହି ସେ ସମର କୋର୍ସ କରୁଥିଲେ । ସୂଚନା ଅନୁଯାୟୀ ଛାତ୍ର ଜଣକ ଗୁରୁବାର ଦିନ ସକାଳ ୯.୩୦ ମିନିଟ ସମୟରେ ବିଦ୍ୟାଳୟ ଗାଧୁଆ ଘରକୁ ଗାଧୋଇବାକୁ ଯାଇ ଦୀର୍ଘ ସମୟ ସେଠାରୁ ଫେରି ନଥିଲେ । ସନ୍ଦେହ ହେବାରୁ ଜଗୁଆଳି ଗାଧୁଆ ଘରୁ ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ସେ ଗାଧୁଆ ଘରେ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଯାଜପୁର ମେଡିକାଲକୁ ଆଣା ଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କ ବାପାଙ୍କୁ ବିଦ୍ୟାଳୟର କର୍ମଚାରୀ ଫୋନ କରି ଡ଼କାଇଥିଲେ । ତାଙ୍କ ବାପା ଆସିଲା ବେଳକୁ ତାଙ୍କ ପୁଅ ମରି ଯାଇଥିବା ଜାଣିବାକୁ ପାଇଥିଲେ । ସେ ଏ ନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ସହିତ ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି କହି ଏହାର ତଦନ୍ତ ଦାବି କରିଛନ୍ତି । ପୋଲିସ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣା ପଡିବ ବୋଲି ପୋଲିସ କହିଛି । ଅପରପକ୍ଷେ ଏହି ଘଟଣାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଛାତ୍ର ଜଣକ ଗତ ୧୭ ତାରିଖରେ ବିଦ୍ୟାଳୟରେ ଯୋଗଦାନ କରିଥିଲେ । ସେଠାରେ ଅସୁସ୍ଥ ହେବାରୁ ଘରକୁ ଯାଇ ପୁନର୍ବାର ଫେରିଥିଲେ । ସେ ଜଣେ ଦିବ୍ୟାଙ୍ଗ ହୋଇଥିଲା ବେଳେ ତାଙ୍କର ବିଭିନ୍ନ ରୋଗ ଥିଲା । ଘଟଣା ବିଷୟରେ ଜାଣିବା ପରେ ଆମେ ଛାତ୍ର ଜଣଙ୍କୁ ମେଡ଼ିକାଲ ନେଇ ତାଙ୍କ ପରିବାରକୁ ଅବଗତ କରିଥିଲୁ । ଏଠାରେ ପ୍ରଶ୍ନ ଉଠେ ଛାତ୍ର ଜଣକ ଯଦି ବିଭିନ୍ନ ରୋଗରେ ପୀଡିତ ଥିଲେ ତେବେ ତାଙ୍କୁ କର୍ତ୍ତୃପକ୍ଷ କିଭଳି ହଷ୍ଟେଲରେ ରଖିଥିଲେ । ଯଦି ସେ ଦିବ୍ୟାଙ୍ଗ ଥିଲେ ତେବେ ସେ ଗାଧୁଆ ଘରକୁ ଯିବା ବେଳେ ଜଗୁଆଳି ତାଙ୍କ ଉପରେ ଦୃଷ୍ଟି ଦେବା ଉଚିତ ଥିଲା ।
