ଓଡ଼ିଶା ଲିଡ୍ସ(ବ୍ୟୁରୋ): ଓଡ଼ିଶା ପାଇଁ ପୁଣି ବାତ୍ୟା ଭୟ । ବଳ ଗୋଟାଇ ସମୁଦ୍ରରୁ ଆଗକୁ ଆସୁଛି ମୋନ୍ଥା । ଏହାର ପ୍ରଭାବରେ ରାଜ୍ୟରେ ପ୍ରଭାବ ଆରମ୍ଭ ହେଲାଣି । ବିଭିନ୍ନ ସ୍ଥାନରେ ବର୍ଷା ସହିତ ପବନ ଆରମ୍ଭ ହେଲାଣି ।
ଏବେ ଗୋପାଳପୁରଠାରୁ ୭୫୦ କିଲୋମିଟର ଏବଂ ଆନ୍ଧ୍ରପ୍ରଦେଶ କାକିନାଡ଼ା ଠାରୁ ୬୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇ ଘଣ୍ଟା ପ୍ରତି ୧୬ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି । କାଲି ସକାଳ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା କାଲି ସନ୍ଧ୍ୟାରୁ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ମଛଲିପଟନମ୍ ଓ କଳିଙ୍ଗପଟନମ୍ ଭିତରେ କାକିନାଡ଼ା ପାଖରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ।
ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ରହିଥିବ ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି । ଝଟକା ପବନ ୧୧୦ କିମି ବଢ଼ିପାରେ ।
ଓଡ଼ିଶାରେ ବି ମୋନ୍ଥାର ପ୍ରଭାବ ଦେଖିବାକୁ ମିଳିଲାଣି । ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିଛି । ଓଡ଼ିଶା ପାଇଁ ସେଭଳି ପବନର ଭୟ ନଥିଲେ ମଧ୍ୟ ବର୍ଷାର ଭୟ ରହିଛି । ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହୋଇଥିଲେ ବି ବର୍ଷା ଯୋଗୁ ଓଡ଼ିଶା ପ୍ରଭାବିତ ହୋଇପାରେ । ତେଣୁ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଉଛି ।




















