ଓଡ଼ିଶା ଲିଡ୍ସ(ବୁରୋ): ସ୍ନେହାଙ୍ଗିନୀ ଛୁରିଆ ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ଏହି ଘୋଷଣା ପରେ ବିଗତ କିଛି ଦିନ ହେଲା ନିଜ ଶବ୍ଦ ବାଣରେ ଜର୍ଜରିତ କରୁଥିବା ବିଜେଡିରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ଏହି ପ୍ରସଙ୍ଗରେ ଦଳକୁ ଶବ୍ଦ ବାଣ ମାରିଛନ୍ତି ।
ନିଜ ସାମାଜିକ ଗଣ ମଧ୍ୟମରେ ଲେଖିଛନ୍ତି ପ୍ରମାଣିତ ହେଲା କହ୍ନେଇଙ୍କ “ଦିଲ୍ଲୀ ଡିଲ୍”। ଜିଲ୍ଲା ବାହାରର ପରାଜିତ ନେତ୍ରୀଙ୍କୁ ବିଜେଡି ଟିକେଟ୍ ଦେଇ ପରୋକ୍ଷରେ ‘କହ୍ନେଇ’ଙ୍କ ସ୍ଥାୟିତ୍ୱ ଓ ଡିଲକୁ କାର୍ଯ୍ୟକାରୀ କରାଇଛି। ବରଗଡ଼ର ଏହି ନେତ୍ରୀ ଗତ ନିର୍ବାଚନରେ ନିଜ ପାରମ୍ପରିକ ଆସନରୁ ୨୯ ହଜାର ଭୋଟ୍ ବ୍ୟବଧାନରେ ଶୋଚନୀୟ ଭାବେ ପରାଜିତ ହୋଇଥିଲେ। ଏବେ ସିଏ ନୂଆପଡ଼ାରେ ଦଳର ପ୍ରାର୍ଥୀ ହେବାପରେ ସ୍ପଷ୍ଟ ପ୍ରମାଣିତ ହେଲା ଯେ, ବିଜେଡି କିଭଳି ନୂଆପଡ଼ାରେ ତୃତୀୟ ସ୍ଥାନରେ ରହିବ ସେଥିପାଇଁ ବିରାଟ ଷଡ଼ଯନ୍ତ୍ର ଗତ ସପ୍ତାହରେ ଦିଲ୍ଲୀରେ ହୋଇସାରିଥିଲା। ଦଳର କୋର କମିଟି ସଦସ୍ୟମାନେ ସେହି କହ୍ନେଇଙ୍କୁ ନବୀନ ନିବାସରେ ଭେଟି ମଙ୍ଗଳବାର ସନ୍ଧ୍ୟାରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ବି ଦେଲେ । ମାତ୍ର ହେଲା କ’ଣ? ନୂଆପଡ଼ାର ହଜାର ହଜାର ବିଜୁପ୍ରେମୀ ଓ ଦଳୀୟ କର୍ମୀଙ୍କ ପ୍ରତି ଏହା ଅପମାନ ନୁହେଁ ତ ଆଉ କ’ଣ ? ଅଣଓଡ଼ିଆ ବ୍ୟକ୍ତି ପାଇଁ ବିଜେଡିର ୨୪ବର୍ଷର ସରକାର ଚାଲିଗଲା, ଆଉ ଏବେ ନୂଆପଡ଼ାରେ ତୃତୀୟ ସ୍ଥାନରେ ରହିବାର ଷଡ଼ଯନ୍ତ୍ର ହୋଇଛି। ଶ୍ରୀମୟୀଙ୍କ ଏହି ଲେଖା ଏବେ ଚର୍ଚ୍ଚା ସୃଷ୍ଟି କରିଛି ।




















