ଓଡ଼ିଶା ଲିଡ୍ସ(ବ୍ୟୁରୋ): ୫୦ ବଲରେ ୯୭ ରନର ଅପରାଜିତ ତଥା ସ୍ମରଣୀୟ ଇନିଂସ ଖେଳି T-20 ବିଶ୍ୱକପର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତକୁ ବିଜୟୀ କରିବା ସହିତ ସେମି ଫାଇନାଲରେ ପହଞ୍ଚାଇ ଦେଇଛନ୍ତି ସଞ୍ଜୁ ସାମସନ । ବେଶ କିଛି ଇନିଂସରେ ବିଫଳ ହେଉଥିବା ସଞ୍ଜୁ ଆଜି କିନ୍ତୁ ନିଜେ ସଫଳ ଇନିଂସ ଖେଳିବା ସହିତ ନିଜ ଦଳକୁ ବିଜୟ ମୁକୁଟ ପିନ୍ଧାଇଛନ୍ତି । ସଞ୍ଜୁ ଓ ଦଳର ଏହି ସଫଳତା ସାରା ଦେଶରେ ଆନନ୍ଦ ଲହରୀ ଖେଳାଇ ଦେଇଛି ।
ପ୍ରଥମେ ବ୍ୟାଟିଂ କରି ୱେଷ୍ଟ ଇଣ୍ଡିଜ ଭାରତ ସମ୍ମୁଖରେ ୨୦ ଓଭରରେ ୪ ଉଇକେଟ ବିନିମୟରେ ୧୯୫ ରନର ବିଶାଳ ପାହାଡ଼ ଛିଡା କରିଥିଲା । ଯାହାକୁ ଭାରତ ୪ଟି ବଲ ପୂର୍ବରୁ ୫ଉଇକେଟ ବିନିମୟରେ ସଂଗ୍ରହ କରି ନେଇଥିଲା । ଓପନର ଅଭିଷେକ ଶର୍ମା ଓ ଅନ୍ୟ ବ୍ୟାଟର ଇଶାନ କିଷାନ ଆଜି ନିରାଶ କରିଥିଲା ବେଳେ ନିଜ ଧର୍ଯ୍ୟ ଓ ଫର୍ମ ବଳରେ ସଞ୍ଜୁ ଅସମ୍ଭବକୁ ସମ୍ଭବ କରିଥିଲେ । ଏହି ବିଜୟ ଭାରତକୁ ସେମି ଫାଇନାଲରେ ପ୍ରବେଶ କରାଇଥିଲା ବେଳେ ଭାରତ ସେମି ଫାଇନାଲରେ ଇଂଲଣ୍ଡକୁ ଭେଟିବ । ନିଜ ଫର୍ମ ପାଇଁ ଦିନେ ନିନ୍ଦିତ ହୋଇ ଦଳରୁ ବାହାର ହୋଇଥିବା ସଞ୍ଜୁ ସାମସନ ଆଜି ସାରା ଦେଶରେ ହିରୋ ପାଲଟି ଯାଇଛନ୍ତି । ସଞ୍ଜୁଙ୍କ ଏହି ଇନିଂସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।




















