ଓଡ଼ିଶା ଲିଡ୍ସ(ବ୍ୟୁରୋ): ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ଭାରତ ସହିତ ଯୁଦ୍ଧ କରିଥିଲା । ଯୁଦ୍ଧରେ ପାକିସ୍ତାନର ଶୋଚନୀୟ ଅବସ୍ଥାକୁ ସାରା ବିଶ୍ୱ ଦେଖିଲା । ଯୁଦ୍ଧରେ ଚୀନ୍ ଏବଂ ତୁର୍କୀଠାରୁ ପାଇଥିବା ଶକ୍ତିର ବ୍ୟବହାର କରିଥିଲା ପାକିସ୍ତାନ। ପାକିସ୍ତାନ ତୁର୍କୀର ଡ୍ରୋନ୍ ଏବଂ ଚୀନ୍ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା । ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର ସମସ୍ତ ଆକ୍ରମଣକୁ ପଣ୍ଡ କରିଥିଲା। ପାକିସ୍ତାନ ଦ୍ୱାରା ଆକାଶମାର୍ଗରୁ ନିକ୍ଷେପ କରାଯାଇଥିବା ଚୀନ୍ କ୍ଷେପଣାସ୍ତ୍ର ପିଏଲ-୧୫ଇକୁ ମଧ୍ୟ ବାୟୁସେନା ଧ୍ୱଂସ କରିଦେଇଥିଲା।
ବିଶ୍ୱର ବଡ଼ ବଡ଼ ଦେଶଗୁଡ଼ିକ ଭାରତ ଦ୍ବାରା ଧ୍ବଂସ ହୋଇଥିବା ଚୀନ୍ କ୍ଷେପଣାସ୍ତ୍ରର ଭଗ୍ନାବଶେଷ ପ୍ରତି ଆଗ୍ରହ ଦେଖାଉଥିବା ନେଇ ଚର୍ଚ୍ଚା ହେଉଛି । ଆମେରିକା, ୟୁକେ, ଜାପାନ, ଅଷ୍ଟ୍ରେଲିଆ ସହିତ ଫ୍ରାନ୍ସକୁ ନେଇ ଗଠିତ ଫାଇଭ ଆଇଜ୍ ନାମକ ଏକ ସଂଗଠନ ଭାରତ ଠାରୁ ଭଗ୍ନାବଶେଷ ନେବା ପାଇଁ ଅନୁରୋଧ କରିଛି। ପାକିସ୍ତାନ ବ୍ୟବହୃତ ଚୀନ୍ କ୍ଷେପଣାସ୍ତ୍ର ପିଏଲ-୧୫ଇର ଭଗ୍ନାବଶେଷ ପଞ୍ଜାବର ହୋସିଆରପୁର ଜିଲ୍ଲାର ଏକ କ୍ଷେତରେ ପଡ଼ିଥିଲା ବେଳେ ପଞ୍ଜାବର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କ୍ଷେପଣାସ୍ତ୍ରର ଛୋଟ ଛୋଟ ଖଣ୍ଡ ପଡିଥିବା ଦେଖିବାକୁ ମିଳିଥିଲା ।ଭାରତ ପକ୍ଷରୁ ଚୀନ୍ କ୍ଷେପଣାସ୍ତ୍ର ପିଏଲ-୧୫ଇର ଭଗ୍ନାବଶେଷ ପାଇଥିବା ଘୋଷଣା ହୋଇଥିଲା ।
ବୈଷୟିକ ବିଶେଷଜ୍ଞଙ୍କ ଅନୁଯାୟୀ, ଭଗ୍ନାବଶେଷ ପରୀକ୍ଷା କରି ଏହି ଦେଶଗୁଡ଼ିକର ପ୍ରତିରକ୍ଷା ବୈଜ୍ଞାନିକମାନେ ଚୀନ୍ର କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା, କ୍ଷମତା ଏବଂ ସୀମାବଦ୍ଧତା ବିଷୟରେ ସୂଚନା ପାଇବାକୁ ଚାହୁଁଛନ୍ତି ବୋଲି ସୂଚନା ମିଳିଛି ।