ଓଡ଼ିଶା ଲିଡ୍ସ(ବ୍ୟୁରୋ): ଇସ୍ରାଏଲ ଓ ଆମେରିକା ପକ୍ଷରୁ ଇରାନ ଉପରେ ମିଳିତ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଯୁଦ୍ଧ କାରଣରୁ ମଧ୍ୟପ୍ରାଚ୍ୟରେ ବିମାନ ସେବା ଗୁରୁତର ପ୍ରଭାବିତ ହୋଇଛି । ଅନେକ ଦେଶ ସେମାନଙ୍କର ଆକାଶପଥ ବନ୍ଦ କରିଦେଇଛନ୍ତି। ୟୁରୋପ, ଆଫ୍ରିକା ଏବଂ ଏସିଆକୁ ସଂଯୋଗ କରୁଥିବା ପ୍ରମୁଖ ବିମାନବନ୍ଦରଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହୋଇଛି। ଯାହା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏମିରେଟ୍ସ ଏୟାରଲାଇନ୍ସ ରବିବାର ଅପରାହ୍ନ ପର୍ଯ୍ୟନ୍ତ ଦୁବାଇକୁ ଏବଂ ସେଠାରୁ ସମସ୍ତ ବିମାନ ଉଡ଼ାଣକୁ ସ୍ଥଗିତ ରଖିଛି। କତାର ଏୟାରୱେଜ୍ କହିଛି ଯେ, ସୋମବାର ସକାଳ ପର୍ଯ୍ୟନ୍ତ କତାର ବିମାନବନ୍ଦର ବନ୍ଦ ରହିବ। ଆକ୍ରମଣ ପରେ ଇସ୍ରାଏଲ ତୁରନ୍ତ ନିଜର ଆକାଶ ମାର୍ଗ ବନ୍ଦ କରିଦେଇଛି।
ଇସ୍ରାଏଲ, କତାର, ସିରିଆ, ଇରାନ, ଇରାକ, କୁଏତ ଏବଂ ବାହାରିନ ଶନିବାର ଦିନ ସେମାନଙ୍କର ଆକାଶପଥ ବନ୍ଦ କରିଦେଇଛନ୍ତି। ଯାହା ଫଳରେ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି। ଅନେକ ସେଲିବ୍ରିଟିଙ୍କ ସମେତ ଲୋକମାନେ ବିମାନବନ୍ଦରରେ ରାତି ବିତାଇବାକୁ ବାଧ୍ୟ ହୋଇଛନ୍ତି। ଦୁବାଇ, ଆବୁଧାବି ଏବଂ ଦୋହା ଭଳି ପ୍ରମୁଖ ପରିବହନ କେନ୍ଦ୍ରଗୁଡ଼ିକ ବନ୍ଦ ହୋଇଯିବା ଫଳରେ ଏପର୍ଯ୍ୟନ୍ତ ବିଶ୍ବରେ ୧,୮୦୦ରୁ ଅଧିକ ବିମାନ ବାତିଲ ହୋଇଛି। ଭାରତୀୟ ବିମାନ କମ୍ପାନି ଏୟାର ଇଣ୍ଡିଆ ଏହାର ସମସ୍ତ ଉଡ଼ାଣକୁ ମଧ୍ୟ ସ୍ଥଗିତ ରଖିଛି।




















