ଓଡ଼ିଶା ଲିଡ୍ସ(ବ୍ୟୁରୋ): ମା କୋଳରେ ଖେଳିବା ସମୟରେ ମୃତ୍ୟୁ ତା କୋଳକୁ ନେଇଗଲା ଶିଶୁ ଜନ୍ମେଶକୁ । ଜୀବନ କ’ଣ ଜାଣିବା ପୂର୍ବରୁ ଚାଲିଗଲା ଜୀବନ । ମାତ୍ର ପରିବାର ଲୋକେ ଜନ୍ମେଶକୁ ହରାଇବାର ଦୁଃଖ ଭିତରେ ନେଲେ ଆଉ ଏକ କଠିନ ନିଷ୍ପତ୍ତି । ଯାହା ନିରୀହ ନିଷ୍ପାପ ଶିଶୁ ଜନ୍ମେଶକୁ ବହୁତ ଉଚ୍ଚକୁ ନେଇଗଲା । ଜନ୍ମେଶର କିଡ୍ନି ଓ ଲିଭର ଦାନ କରି ୧୬ ମାସର ଶିଶୁ ଜନ୍ମେଶକୁ ଅମର କରିଦେଲେ ବାପା ଆଉ ମା। ଚିର ଦିନ ପାଇଁ ଆଖି ବୁଜିଲେ ବି ନିଜର ସତ୍ତା କିନ୍ତୁ ଛାଡି ଦେଇ ଦୁଇ ଜଣ ନିଷ୍ପାପ ଶିଶୁଙ୍କୁ ବଞ୍ଚାଇ ଦେଇଛନ୍ତି । ଗତ ମାସ ୧୨ ତାରିଖରେ ଶ୍ବାସକ୍ରିୟା ଜନିତ ରୋଗରେ ପୀଡିତ ହୋଇ ଏମ୍ସ ଭୁବନେଶ୍ୱରର ଶିଶୁ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ ଜନ୍ମେଶ। ଡାକ୍ତରଙ୍କ ତତ୍ୱାବଧାନରେ ଥିଲା ବେଳେ ସିପିଆର ଦିଆଯିବା ପରେ ଦୁଇ ସପ୍ତାହ ଧରି ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ସବୁ ଚେଷ୍ଟା ସତ୍ତ୍ବେ ଗତ ୧ ତାରିଖରେ ତାଙ୍କୁ ବ୍ରେନ୍ ଡେଡ ଘୋଷଣା କରିଥିଲେ ଡାକ୍ତର। ଏଭଳି କଠିନ ସମୟରେ ଡାକ୍ତରୀ ଦଳ ନିକଟରୁ ଅଙ୍ଗଦାନ ବିଷୟରେ ପରାମର୍ଶ ପାଇଥିଲେ ପିତା ମାତା । ପରିବାର ଲୋକଙ୍କ ସହିତ ବିଚାର ବିମର୍ଶ ପରେ ଶୋକାକୁଳ ପିତାମାତା ଏଥି ପାଇଁ ସମ୍ମତି ପ୍ରଦାନ ବି କରିଥିଲେ।
ଏକ ବହୁମୁଖୀ ଡାକ୍ତରୀ ଦଳ ଦ୍ବାରା ଜନ୍ମେଷଙ୍କ ଅଙ୍ଗ ପୁନରୁଦ୍ଧାର ପରେ ତାକୁ ପ୍ରତିରୋପଣ କରାଯାଇଥିଲା। ଡାକ୍ତର ବ୍ରହ୍ମଦତ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଗ୍ୟାଷ୍ଟ୍ରୋ ସର୍ଜରି ଦଳ ଦ୍ୱାରା ଲିଭରକୁ ସଫଳତାର ସହିତ ଉଦ୍ଧାର କରାଯାଇ ଗ୍ରିନ୍ କରିଡରରେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର୍ ଆଣ୍ଡ୍ ବିଲିଆରି ସାଇନ୍ସେସ୍ କୁ ପଠାଯାଇଛି। ଅନୁରୂପ ଭାବେ ୟୁରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରଶାନ୍ତ ନାୟକଙ୍କ ନେତୃତ୍ୱରେ ଜନ୍ମେଶଙ୍କ ଦୁଇ କିଡ୍ନିକୁ ପୁନରୁଦ୍ଧାର କରାଯାଇ ଏମ୍ସ ଭୁବନେଶ୍ୱରର ଜଣେ କିଶୋର ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି।
ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଡାକ୍ତରୀ ଦଳକୁ ପ୍ରଶଂସା କରିବା ସହିତ ଜନ୍ମେଶଙ୍କ ପିତାମାତାଙ୍କ ଅସାଧାରଣ ଉଦାରତା ପାଇଁ ଗଭୀର କୃତଜ୍ଞତା ଜଣାଇଛନ୍ତି। ଗତକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଜନ୍ମେଶଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅନ୍ତିମ ସଂସ୍କାର ସମୟରେ ଖଣ୍ଡିଗିରି ଶ୍ମଶାନରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସୂଚନାଯୋଗ୍ୟ, ଜନ୍ମେଶଙ୍କ ପିତା ଅଶୋକ ଲେଙ୍କା ଏମ୍ସ ଭୁବନେଶ୍ୱରରେ ହଷ୍ଟେଲ ୱାର୍ଡେନ ଭାବରେ କାର୍ଯ୍ୟରତ।