ଓଡ଼ିଶା ଲିଡ୍ସ(ଯାଜପୁର): ବଳିଷ୍ଠ ନେତୃତ୍ବର ଅଭାବ କାରଣରୁ ଉଜୁଡିବାକୁ ବସିଲାଣି ସୁନାର ସୁକିନ୍ଦା । ଶାନ୍ତିର ଏହି ଉପତ୍ୟକା ଉପରେ ଭୟ, ଆତଙ୍କ ଓ ଅବିଶ୍ୱାସର ଚାଦର ଢାଙ୍କି ହୋଇ ପଡ଼ିଥିଲା ବେଳେ ଶ୍ରମିକ ଏବେ ନିଜ ଭବିଷ୍ୟତ ଚିନ୍ତାରେ ପଡିଛି । ନିଜ ମାଟିରେ ନିଜ ପେଟ ପାଇଁ ଓ ନିଜ ପରିବାରର ପେଟପାଇଁ ଦାନା ଯୋଗାଡ଼ କରିବା କଷ୍ଟ ହୋଇ ପଡିଛି । ପରିବର୍ତ୍ତନ ଆଳରେ ବିଚରା ଶ୍ରମିକ ନୟାନ୍ତ ହୋଇ ପଡିଛି । ଶ୍ରମିକଙ୍କ ମୁଣ୍ଡରେ ଦଳୀୟ ଟୋପି ପିନ୍ଧାଇ ନିଜ ଶକ୍ତି ଓ ସଂଗଠନ ବଳ ଦେଖାଇବାକୁ କମର କସୁଥିବା ନେତା କିନ୍ତୁ ଶ୍ରମିକଙ୍କ ମନର କଥା ଓ ବ୍ୟଥା ବୁଝିବାକୁ ଆଦୌ ଆଗ୍ରହ ଦେଖାଉ ନାହାନ୍ତି । ଦଳୀୟ ଟୋପି ନ ପିନ୍ଧିଲେ ଛଟେଇ ହେବାର ଭୟ ଶ୍ରମିକଙ୍କୁ ଦଳୀୟ ଟୋପି ସିନା ପିନ୍ଧାଇ ଦେଉଛି, ହେଲେ ଟୋପି ପିନ୍ଧିଲା ପରେ ବି ଛଟେଇ ହେଉଛନ୍ତି । ଯାହା ଦେଖିବାକୁ ମିଳିଛି ସାରୁଆବିଲ କମର୍ଦ୍ଦା ଖଣିରେ । ଖଣିରେ ଶ୍ରମିକ ଭାବେ କାମ କରୁଥିବା ୬୨ ଶ୍ରମିକ ଛଟେଇ ହୋଇ ଘରେ ବସିଥିଲା ବେଳେ ଏବେ ଦାଦନ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ନିଜ ଭିଟା ମାଟି ଛାଡି ନିଜ ପିଲା ପରିବାର ଠାରୁ ଦୂରରେ ରହି ଦୁଇ ପଇସା ରୋଜଗାର କରିବାକୁ ସେମାନେ ଦାଦନ ଯିବାକୁ ବାଧ୍ୟ ହୋଇଛନ୍ତି । ଆଉ ଯଦି ଦାଦନ ନଖଟିବେ ପିଲା ଛୁଆ ଓପାସରେ ରହିବେ । ଏଭଳି ସ୍ଥିତି ଏବେ ସୁନାର ସୁକିନ୍ଦାରେ ।
ଏହାକୁ ନେଇ କିଛି ଶ୍ରମିକ କୁହନ୍ତି ନାଲି ଆଖି, ଛଟେଇ ଭୟରେ ଆମେ ଦଳୀୟ ଟୋପି ପିନ୍ଧିଲୁ । ଏହା ପରେ ବି ଆମକୁ ଛଟେଇ କଲେ । ଯିଏ ଟୋପି ପିନ୍ଧିବାକୁ କହିଲେ ଏବେ ତାଙ୍କୁ କହିଲେ ସିଏ ଶୁଣୁ ନାହାନ୍ତି । ଓଲଟା କହୁଛନ୍ତି ତୁମ କଥା ତୁମେ ବୁଝ । ଆମ ମାଟିରେ ବାହାର ଲୋକ ରୋଜଗାର କରିବେ ଆମେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବୁ । ଆମ କଥା ଶୁଣିବ କିଏ ନା ବୁଝିବ କିଏ । ସରକାର ଆମକୁ ଦାଦନ ସଜେଇ ଦେଲେ ।




















