ଓଡ଼ିଶା ବ୍ୟୁରୋ(ବ୍ୟୁରୋ): କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ମଧ୍ୟପ୍ରଦେଶର ବିଜେପି ମନ୍ତ୍ରୀ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି। ଅନ୍ୟ ପକ୍ଷରେ ଏହି ଘଟଣା ପରେ ମଧ୍ୟପ୍ରଦେଶ ହାଇକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରି ସ୍ୱତଃ ତଦନ୍ତ କରି ତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟପ୍ରଦେଶର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଜୟ ଶାହ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇଥିଲେ । ଏହି ମନ୍ତବ୍ୟ ପରେ ସେ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି ।
ହାଇକୋର୍ଟଙ୍କର ବିଚାରପତି ଅତୁଲ ଶ୍ରୀଧରଙ୍କ ଡିଭିଜନ ବେଞ୍ଚ ଚାରି ଘଣ୍ଟା ମଧ୍ୟରେ ମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ସକାଳେ ହେବ। ଯେକୌଣସି ପରିସ୍ଥିତିରେ ଏଫଆଇଆର ପଞ୍ଜିକୃତ ହେବା ଉଚିତ। ଏହି ସମ୍ପର୍କରେ କୋର୍ଟ ଆଡଭୋକେଟ୍ ଜେନେରାଲ ପ୍ରଶାନ୍ତ ସିଂହଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଅପରପକ୍ଷେ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ବିଷୟରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ମନ୍ତ୍ରୀ ବିଜୟ ଶାହ କ୍ଷମା ମାଗିଛନ୍ତି। କ୍ଷମା ମାଗିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ପ୍ରତିବାଦ ଥମୁ ନାହିଁ । ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ତୀବ୍ର ପ୍ରତିବାଦ କରିଛି । କଂଗ୍ରେସ ବିଜୟ ଶାହଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ କରିବାକୁ ଦାବି କରିଛି ।