ଓଡ଼ିଶା ଲିଡ୍ସ(ବ୍ୟୁରୋ): ଇସ୍ରାଏଲ-ଇରାନ ସଂଘର୍ଷରେ ଆମେରିକା ଇରାନକୁ ନିଃସର୍ତ୍ତ ଆତ୍ମ ସମର୍ପଣ କରିବାକୁ ଧମକ ଦେଇଥିଲା, ନହେଲେ ପରିଣାମ ଭୟଙ୍କର ହେବ ବୋଲି ତାଗିଦ ମଧ୍ୟ କରିଥିଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ-ଇସ୍ରାଏଲ ଯୁଦ୍ଧରେ ସିଧାସଳଖ ହସ୍ତକ୍ଷେପ କରୁଥିବା କିଛି ଦିନ ହେଲା ଦେଖିବାକୁ ମିଳିଛି ।
ଆମେରିକାର ଧମକ ପରେ ହମାସ ଏକ ବିବୃତି ଜାରି କରି ଆମେରିକାକୁ ଚେତାବନୀ ଦେଇଛି । ହମାସ କହିଥିଲା ଏପରି କାର୍ଯ୍ୟ ଏହି ଅଞ୍ଚଳକୁ ବିପର୍ଯ୍ୟୟ ଦ୍ୱାରଦେଶକୁ ନେଇଯିବ ଓ ଭୟଙ୍କର ସ୍ଥିତି ଉତ୍ପନ ହେବ ।
ହମାସ ବିବୃତିରେ ଆମେରିକା ଏବଂ ଇସ୍ରାଏଲ କାର୍ଯ୍ୟକୁ ନିନ୍ଦା କରାଯାଇଛି । ହମାସ ଜୋର ଦେଇଛି ଯେ, ଇରାନ ଉପରେ ସାମରିକ ଆକ୍ରମଣରେ ଆମେରିକାର ସିଧାସଳଖ ସମ୍ପୃକ୍ତ ହେଲେ ଏହାର ବିପଜ୍ଜନକ ପରିଣାମ ସୃଷ୍ଟି ହେବ । ଆମେରିକାର ପଦକ୍ଷେପ ଯୋଗୁ ଆଞ୍ଚଳିକ ଅସ୍ଥିରତା ବ୍ୟାପିବ ବୋଲି ହମାସ କହିଛି । ଏହି ଅଞ୍ଚଳରେ ବଢୁଥିବା ଉତ୍ତେଜନା ପାଇଁ ହମାସ ୱାଶିଂଟନ ଏବଂ ତେଲ ଅଭିଭକୁ ଦାୟୀ କରିଛି। ମଧ୍ୟପ୍ରାଚ୍ୟର କୌଣସି ସହର ଇସ୍ରାଏଲୀ ଆକ୍ରମଣରୁ ସୁରକ୍ଷିତ ନୁହେଁ ବୋଲି ଦାବି କରୁଥିବା ବିବୃତିକୁ ନିନ୍ଦା କରିଛି । ଇସ୍ରାଏଲର ମନ୍ତବ୍ୟ ଉପନିବେଶବାଦୀ ଏବଂ ଅହଂକାରୀ ମାନସିକତାର ପ୍ରତିଫଳନ ବୋଲି କହିଛି ହମାସ । ଏହା ସହିତ ଇରାନର ଆତ୍ମରକ୍ଷାର ଅଧିକାର ଅଛି କହି ଆରବ ଏବଂ ମୁସଲିମ ଦେଶ ମଧ୍ୟରେ ଏକତା ପାଇଁ ହମାସ ନିବେଦନ କରିଛି।