ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି, ରାଜ୍ୟରେ ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣା ରାଜ୍ୟବାସୀଙ୍କୁ ଚକିତ କରିଛି । ବିଶେଷ କରି ଯୁବକ ଯୁବତୀ ମାନେ ଏହାକୁ ନେଇ ନିରାଶ ହୋଇ ପଡିଛନ୍ତି । ସେ କହିଛନ୍ତି ଏହି ପ୍ରଶ୍ନ ପତ୍ର ଲିକ ମାମଲାରେ ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ । ତିନୋଟି ସଂସ୍ଥାକୁ କିପରି ଆଉଟ ସୋର୍ସ କରାଯାଇଥିଲା ତାର ତଦନ୍ତ ମଧ୍ୟ ଆବଶ୍ୟକ । ପରୀକ୍ଷାରେ ଘୋଟାଲା କରିବା ପାଇଁ ବାଟ କରିଥିଲେ ସରକାର? କାହାର ନିର୍ଦ୍ଦେଶରେ କମିଟି ଆଉଟ୍ ସୋର୍ସିଙ୍ଗ ପାଇଁ ଅନୁମତି ଦେଇଥିଲା । ଗୃହ ସଚିବ, ଓପିଆର୍ବି ଅଧ୍ୟକ୍ଷ ଓ ସିଲିକନ୍ ମଧ୍ୟରେ ଚୁକ୍ତି ହୋଇ ଏଭଳି ଘୋଟାଲା ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହା ସହିତ ସେ କହିଛନ୍ତି ଏହି ଘୋଟାଲାର କେନ୍ଦ୍ର ଢେଙ୍କାନାଳ। ଢେଙ୍କାନାଳରେ କଣ ହୋଇଛି କିଏ ସେଠାରେ ରହି ଏହି କାଣ୍ଡ ଘଟାଇଛି ତାହା ସରକାର ସ୍ପଷ୍ଟ କରନ୍ତୁ । ଓଡ଼ିଶାରେ ବର୍ତ୍ତମାନ ଜରୁରୀ କାଳୀନ ସ୍ଥିତି ସୃଷ୍ଟି ହୋଇଛି । ଏ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସଂପୃକ୍ତି ଥିବା ସ୍ପଷ୍ଟ ହୋଇଗଲାଣି । ମୁଖ୍ୟମନ୍ତ୍ରୀ ନୀରବ ନ ରହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ । ନଚେତ କେହି ତାଙ୍କୁ କ୍ଷମା ଦେବେ ନାହିଁ । ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି ସରକାର ସୋମବାର ସୁଦ୍ଧା ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦେଲେ ଯୁବ ଓ ଛାତ୍ର ବିଜେଡି ରାସ୍ତାକୁ ଓହ୍ଲାଇବ ।




















