ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ରୋଡ ଥାନା ଅଧିନ ଷ୍ଟାଡିୟମ ସ୍ଥିତ ଏକ ଘରୋଇ ସ୍କୁଲ ନିକଟରୁ ଛାତ୍ରୀ ଅପହରଣ ହେଉଥିବା ଖବର ପାଇ ଯାଜପୁର ରୋଡ଼ ଆଦର୍ଶ ଥାନା ଅଧିକାରୀ ଆଶିଷ କୁମାର ସାହୁ ତ୍ୱରିତ ପଦକ୍ଷେପ ନେଇ ନାବାଳିକା ଛାତ୍ରୀକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହା ସହିତ ଅପହରଣରେ ବ୍ୟବହାର ହୋଇଥିବା ଗାଡି ଜବତ କରିଛନ୍ତି । ସୂଚନା ଅନୁଯାୟୀ ଗତକାଲି ଷ୍ଟାଡିୟମ ସ୍ଥିତ ଏକ ଘରୋଇ ସ୍କୁଲର ଛାତ୍ରୀ ସ୍କୁଲକୁ ଆସୁଥିବା ବେଳେ ଛାତ୍ରୀଙ୍କୁ ସ୍କୁଲ ନିକଟରୁ ଜନୈକ ଯୁବକ ଅପହରଣ କରିନେଉଥିଲା । ଏହା ଦେଖି ଅନ୍ୟ ଛାତ୍ରୀ ମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ l ଘଟଣା ସଂପର୍କରେ ସୂଚନା ପାଇଁ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଯାଜପୁର ରୋଡ ଥାନାକୁ ଖବର ଦେଇଥିଲେ। ଖବରପାଇ ଯାଜପୁର ରୋଡ ଥାନା ଅଧିକାରୀ ବ୍ୟାସନଗର ଅଞ୍ଚଳର ବିଭିନ୍ନ ଛକକୁ ତୁରନ୍ତ ସିଲ କରିଥିଲେ । ମାତ୍ର ଅଳ୍ପ ସମୟ ମଧ୍ୟରେ ସ୍ଥାନୀୟ ସାପଗଡିଆ ଅଞ୍ଚଳରୁ ଅପହୃତା ଛାତ୍ରୀଙ୍କୁ ଉଦ୍ଧାର କରି ବ୍ୟବହୃତ କାର ସମେତ ଅଭିଯୁକ୍ତ ଯୁବକକୁ ଥାନାକୁ ଆଣିଥିଲେ । ଘଟଣାର ତଦନ୍ତ କରିବା ପରେ ଆଜି ଅଭିଯୁକ୍ତ ଯୁବକ ଦୀପକ ବିଶ୍ଵାଳକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି । ପୋଲିସର ତ୍ୱରିତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।
