ଓଡ଼ିଶା ଲିଡ୍ସ(ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନ ଲାଗି ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ପଡ଼ିଥିଲା ବେଳେ ପ୍ରାର୍ଥୀ ଚୟନ ସଂପର୍କରେ ମୁହଁ ଖୋଲିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଲୋକପ୍ରିୟତା, ଦଳୀୟ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହିଁ ନୂଆପଡ଼ାର ବିଜେପି ପ୍ରାର୍ଥୀ ହେବେ। ଓଡ଼ିଶା ସହ କେନ୍ଦ୍ରୀୟ ଟିମ ମଧ୍ୟ ନୂଆପଡ଼ାରେ ସର୍ଭେ କରୁଛି। ସର୍ଭେ ଆଧାରରେ ସଂସଦୀୟ ବୋର୍ଡ ପ୍ରାର୍ଥୀ ଚୟନ କରିବ। ନୂଆପଡା ଅଞ୍ଚଳରେ ଲୋକପ୍ରିୟତା ଥିବା, ଲୋକେ ଯାହାକୁ ଚାହୁଁଥିବେ, ଯିଏ ଦଳୀୟ ଚିନ୍ତାଧାରା କାର୍ଯ୍ୟ କରୁଥିବେ, ଯାହାର ଲୋକଙ୍କ ମୌଳିକ ସମସ୍ୟା ନେଇ ଜ୍ଞାନ ଗାରିମା ଥିବ, ସେଭଳି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ ବୋଲି ସଭାପତି କହିଛନ୍ତି ।
ଖୁବ ଶୀଘ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯିବେ ବୋଲି ସୂଚନା ମିଳିଛି। ଦିନେ କିମ୍ବା ଦୁଇ ଦିନ ଭିତରେ ଦିଲ୍ଲୀ ଯାଇ କେନ୍ଦ୍ର ନେତୃମଣ୍ଡଳୀ ସହିତ ନୂଆପଡା ଉପନିର୍ବାଚନ ନେଇ ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ ଆଲୋଚନା କରି ପାରନ୍ତି । ନୂଆପଡା ଆସନ ବିଜେଡିର ଥିଲା ବେଳେ ଉପନିର୍ବାଚନରେ କିଏ ସେଠାରେ ବାଜିମାତ କରିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।




















