ଓଡ଼ିଶା ଲିଡ୍ସ(ଯାଜପୁର): ରାଜ୍ୟ ରାଜନୀତି ବିଭିନ୍ନ କାରଣକୁ ନେଇ ଏବେ ଉଷ୍ମ ହୋଇଛି । ଏସଆଇ ପରୀକ୍ଷା ମହା ଦୁର୍ନୀତି, ଆଇନଜୀବି ହତ୍ୟାକାଣ୍ଡ, କଟକରେ ଭଶାଣିକୁ ନେଇ ବିବାଦ ସହିତ ରାଜ୍ୟରେ ଆଇନ ଶୃଂଖଳାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହି ସମୟରେ ନୂଆପଡା ଉପ ନିର୍ବାଚନକୁ ନେଇ ତିନି ପ୍ରମୁଖ ଦଳ ମୁହାଁ ମୁହିଁ ହୋଇଛନ୍ତି । ୧୫ ମାସ ହେଲା ବିଜେପି ରାଜ୍ୟରେ ଶାସନ ଭାର ଗ୍ରହଣ କରିଥିଲା ବେଳେ ସରକାର କେତେକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଏହାକୁ କେହି ଅସ୍ବୀକାର କରି ପାରିବେ ନାହିଁ, ହେଲେ ରାଜ୍ୟରେ ଆଇନ ଶୃଙ୍ଖଳା ଯେ ଦିନକୁ ଦିନ ବିଗିଡି ଯାଉଛି ତାକୁ ମଧ୍ୟ କେହି ଅସ୍ବୀକାର କରିବେ ନାହିଁ । ହେଲେ ଏଭଳି ସ୍ଥିତିରେ ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ରାଜନୈତିକ ଦୃଶ୍ୟପଟ ଏବେ ବଦଳି ଯାଇଛି । ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଯୁବନେତା ତଥା ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କର ଲୋକପ୍ରିୟତା ବଢୁଥିବା ଦେଖିବାକୁ ମିଳୁଥିଲା ବେଳେ ଏହାକୁ ନେଇ ଜିଲ୍ଲାର ଏକମାତ୍ର ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଶିବିରରେ କମ୍ପନ ସୃଷ୍ଟି ହୋଇଛି । ପରାଜୟ ପରେ ଇଂ ଘଡାଇ ସୁକିନ୍ଦାରେ ଅଧିକ ସମୟ ଦେବା ସହିତ ନିଜ ସଙ୍ଗଠନକୁ ସଜାଡ଼ିବାକୁ ଗୁରୁତ୍ୱ ଦେଇଥିଲେ । ଯାହାର ସଫଳତା ଏବେ ଦେଖିବାକୁ ମିଳୁଛି । ଏବେ ପାର୍ବଣ ଋତୁ ଚାଲିଥିବାରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପୂଜା ଆୟୋଜିତ ହେଉଛି । ସବୁ ପୂଜା କମିଟି ପକ୍ଷରୁ ତାଙ୍କୁ ନିମନ୍ତ୍ରଣ ରହୁଥିଲା ବେଳେ ସେ ମଧ୍ୟ ସବୁଠି ପହଂଚୁଛନ୍ତି । ଏହି ସମୟରେ ତାଙ୍କୁ କେବଳ ପୂଜା କମିଟି ନୁହେଁ ଗ୍ରାମର ଆବାଳ ବୃଦ୍ଧ ବନିତା ଖୋଲା ହୃଦୟରେ ସ୍ୱାଗତ କରୁଛନ୍ତି । ଏହି ସମୟରେ ନିଜ ଚିରାଚରିତ ଢଙ୍ଗରେ ହସ ହସ ମୁହଁରେ ସେ ବି ସମସ୍ତଙ୍କ ଅଭିନନ୍ଦନ କୁ ଗ୍ରହଣ କରୁଛନ୍ତି ଇଂ ଘଡାଇ। ତାଙ୍କ ସହିତ ମିଶିବା, ବସିବା ଓ କଥା ହୋଇ ଫଟୋ ଉଠାଇବାକୁ ପ୍ରତିଯୋଗିତା ଲାଗି ଯାଉଛି । ଯାହା ତାଙ୍କ ଲୋକପ୍ରିୟତାକୁ ପ୍ରମାଣିତ କରୁଛି । ଏହି ଚିତ୍ର କିନ୍ତୁ ବିଜେପି ଶିବିରକୁ ନିରାଶ କରି ଦେଇଛି । ସୁକିନ୍ଦାର ବଦଳା ରାଜନୀତି ଚିତ୍ରପଟ କିନ୍ତୁ ଇଂ ଘଡାଇଙ୍କ ସମର୍ଥକଙ୍କୁ ବେଶ ଆମୋଦିତ କରୁଛି ।




















